ଅଧିନାୟକ ଭାବେ ଦ୍ରାବିଡଙ୍କ ପ୍ରଥମ ପସନ୍ଦ ରୋହିତ ଶର୍ମା । ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଚର୍ଚ୍ଚାରେ ପୁରୁଣା ଇଣ୍ଟରଭ୍ୟୁ…

214

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରେ ହେବାକୁ ଯାଇଛି ଏକାଧିକ ପରିବର୍ତ୍ତନ । ଦଳର ନୂଆ ଗୁରୁ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ଦି ୱାଲ୍ ରାହୁଲ ଦ୍ରାବିଡ୍ । ସେହିପରି ସର୍ଟ ଫର୍ମାଟ୍ କ୍ରିକେଟରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ରୋହିତ ଶର୍ମା । ଆଉ ଏହାରି ଭିତରେ ଦ୍ରାବିଡଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମିଡିଆ ରିପୋର୍ଟସ ମୁତାବକ, ସୀମିତ ଓଭର କ୍ରିକେଟରେ ରୋହିତଙ୍କୁ ନେତୃତ୍ୱ ଦେବାକୁ ଚାହୁଁଛନ୍ତି ରାହୁଲ ଦ୍ରାବିଡ । ଟି-୨୦ ସହିତ ସେ ଦିନିକିଆରେ ମଧ୍ୟ ଦଳର ନେତୃତ୍ୱ ନିଅନ୍ତୁ ବୋଲି ଦ୍ରାବିଡ୍ ଇଚ୍ଛା ରଖିଛନ୍ତି । ତେବେ ଆଗାମୀ ଦିନରେ ଏହା କେତେ ସତ ହେଉଛି, ତାକୁ ନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଖାଲି ସେତିକି ନୁହେଁ,  ରୋହିତ ଶର୍ମାଙ୍କ ବ୍ୟତୀତ କେ ଏଲ ରାହୁଲ ଓ ରିଷଭ ପନ୍ଥ ମଧ୍ୟ ଟି-୨୦ରେ ଦଳର ନେତୃତ୍ୱ ନେଇପାରିବେ ବୋଲି ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିଥିଲେ ଦ୍ରାବିଡ, ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଗତ କିଛି ଟୁର୍ଣ୍ଣାମେଣ୍ଟ ଓ ସିରିଜରେ ବିରାଟଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି । ବଡ ବଡ ମ୍ୟାଚରେ ଦଳ ପରାସ୍ତ ହେଉଥିବା କାରଣରୁ ଏହି ପୁରୁଣା ଇଣ୍ଟରଭ୍ୟୁକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଇଛି ଦ୍ରାବିଡ ଦଳର କମାଣ ସମ୍ଭାଳିବା ପରେ ରୋହିତଙ୍କୁ ଟି-୨୦ ସହିତ ଦିନିକିଆରେ ମଧ୍ୟ ଅଧିନାୟକ ନିଯୁକ୍ତ କରାଯାଇପାରେ । କୋହଲି କେବଳ ଟେଷ୍ଟରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରହିପାରନ୍ତି । ରୋହିତଙ୍କ ପାଖରେ ନେତୃତ୍ୱ ନେବାର ଅଭିଜ୍ଞତା ଅଛି । ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଲଗାତାର ଚାମ୍ପିୟନ କରିବାରେ ସକ୍ଷମ ହୋଇଛନ୍ତି । ତେଣୁ ରୋହିତଙ୍କୁ ନେଇ ଏଭଳି ଆଲୋଚନା ଏବେ ପ୍ରକାଶ ପାଉଛି ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ ପରେ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦଳର କୋଚ୍ ନିଯୁକ୍ତ ହେଲେ ଦ୍ରାବିଡ । ତେବେ ଏହା ପୂର୍ବରୁ ଏନସିଏରେ ତାଙ୍କର କାର୍ଯ୍ୟକାଳ ଦଳକୁ ଫାଇଦା ଦେବ । ଏନସିଏର ନିର୍ଦ୍ଦେଶକ ରହିବା ସମୟରେ ଅନେକ ଖେଳାଳି ଦ୍ରାବିଡଙ୍କଠାରୁ ଗୁରୁମନ୍ତ୍ର ପାଇଛନ୍ତି । ତେଣୁ କୋଚ୍ ହିସାବରେ ତାଙ୍କର କାର୍ଯ୍ୟକାଳ କିପରି ରହୁଛି ତାହା ଦେଖିବାକୁ ବାକି ରହିଲା ।