କନକ ବ୍ୟୁରୋ: ତୃଣମୂଳ ସ୍ତରରୁ ସୃଷ୍ଟି ହେବେ କ୍ରିକେଟ ଖେଳାଳି । ଉଚ୍ଚମାନର କୋଚିଂ ପାଇଁ ରାଜ୍ୟ ତଥା ଦେଶ ପାଇଁ କରି ପାରିବେ ପ୍ରତିନିଧିତ୍ବ । ଏଥିପାଇଁ ଆରମ୍ଭ ହୋଇଛି ଅଭିଯାନ । ଘାସ ପଡିଆ ସହିତ ଟର୍ଫ ଉଇକୋଟୀର ଖେଳିବାର ସୁଯୋଗ ପାଇଛନ୍ତି ଖେଳାଳି । ଏହାକୁ ଓଡିଶା କ୍ରିକେଟ ସଂଘର ସହଯୋଗରେ ସଫଳତାର ସହ କରି ପାରିଛି ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ।

Advertisment

ସକାଳ ହେଲେ କିଟ୍ ବ୍ୟାଗ ଧରି ପଡିଆକୁ ଆସୁଛନ୍ତି କୁନି କୁନି ଖେଳାଳି । କିଏ ଫିଲଡିଂ, କିଏ ବୋଲିଂ ପୁଣି କିଏ ବ୍ୟାଟିଂରେ ବ୍ୟସ୍ତ । ନେଟ୍ ପ୍ରାକ୍ଟିସ୍ ଚାଲିଛି । ସୁବର୍ଣ୍ଣପୁର ସହରର ଗାନ୍ଧୀ ଷ୍ଟାଡିୟମର ଘାସ ପଡିଆ ସହିତ ଟାର୍ଫ ଉଇକେଟରେ ଅଭ୍ୟାସ କରିବାର ସୁଯୋଗ ପାଇଛନ୍ତି ଖେଳାଳି। ଆଗରୁ କ୍ରିକେଟ୍ ଖେଳ ପ୍ରାକ୍ଟିସ୍ ପାଇଁ ଜିଲ୍ଲାରେ ସେମିତି କିଛି ସୁବିଧା ନଥିଲା । ଏବେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆବଶ୍ୟକୀୟ ସଯୋଗ ଯୋଗାଇ ଦିଆଯାଉଛି । ଫଳରେ ଆଗକୁ ରାଜ୍ୟ ଓ ଦେଶ ପାଇଁ ଖେଳିବାରେ ସକ୍ଷମ ହୋଇପାରିବେ ବୋଲି ଆଶା ରଖିଛନ୍ତି ଖେଳାଳି ।

ଓଡିଶା କ୍ରିକେଟ ଆସୋସିଏସନର ସହଯୋଗରେ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆରମ୍ଭ ହୋଇଛି ମାଗଣା ପ୍ରଶିକ୍ଷଣ ଶିବିର । ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ସହିତ ସ୍ବତନ୍ତ୍ର କୋଚ ନିଯୁକ୍ତ ହୋଇଛନ୍ତି । ପିଚର ରକ୍ଷଣାବେକ୍ଷଣ ପାଇଁ କ୍ୟୁରେଟର ନିଯୁକ୍ତି କରାଯାଇଛି। ତେବେ ଏହି ବ୍ୟବସ୍ଥା ଆଗାମୀ ଦିନରେ ସୁଦୂର ପ୍ରସାରୀ ହେବ । ଏଥିପାଇଁ ଓସିଏ ସଭାପତି, ସମ୍ପାଦକଙ୍କୁ ଧନ୍ୟବାଦ ଦେଇଛନ୍ତି କୋଚ୍ ଏବଂ ସଂଘର ସଭାପତି ।

ତେବେ ଦିନ ଥିଲା କେବଳ ବଡ ସହରର ଖେଳାଳି ରାଜ୍ୟ ଓ ଦେଶ ପାଇଁ କରୁଥିଲେ ପ୍ରତିନିଧିତ୍ବ । ଏବେ ସମୟ ବଦଳିଛି ଗ୍ରାମାଞ୍ଚଳରୁ ମଧ୍ୟ ସୃଷ୍ଟି ହେବେ ଜାତୀୟ ସ୍ତରର ଖେଳାଳି ।