କନକ ବ୍ୟୁରୋ: ଆଇପିଏଲ୨୦୨୩ର ଆରମ୍ଭରୁ ହିଁ ଫ୍ୟାନ୍ସ ମାନେ ସିଏସକେର ଅଧିନାୟକ ଏମଏସ ଧୋନୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂର ଆନନ୍ଦ ନେଉଛନ୍ତି । ଚେନ୍ନାଇ ଦଳ ନିଜର ୫ମ ମ୍ୟାଚରେ ଆରସିବିକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରେ ଧୋନୀ ଆରସିବି ଠାରୁ ସେହି ଆଘାତର ବଦଲା ନେବାକୁ ଯାଉଛନ୍ତି ଯେଉଁ ଆଘାତ ତାଙ୍କୁ ୨୦୧୯ରେ ମିଳିଥିଲା । ଧୋନୀ ସେତେବେଳେ ନିଜର ଫିନିସିଂ ଅନ୍ଦାଜରେ ଦଳ ପାଇଁ ସଙ୍କଟ ମୋଚକର ଭୂମିକା ତୁଲାଇଥିବା ବେଳେ ଭାଗ୍ୟ କିନ୍ତୁ ତାଙ୍କ ସାଥ ଦେଇନଥିଲା । ଦଳ ମାତ୍ର ୧ ରନରେ ପରାସ୍ତ ହୋଇଥିଲା ।

Advertisment

୨୦୧୯ରେ ଦୁଇ ଟିମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ । ଆରସିବିର ଅଧିନାୟକ ବିରାଟ କୋହଲି ଥିବା ବେଳେ ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୬୧ ରନ ସଂଗ୍ରହ କରିଥିଲା । ଏହି ମୁକାବିଲାରେ ଫଳାଫଳ ସିଏସକେ ପକ୍ଷରେ ଯିବାର ପୂରା ନଜର ଆସୁଥିଲା । ତେବେ ବ୍ୟାଟିଂ ଆସିବା କ୍ଷଣି ସେନ ୱାଟସନ , ଫାଫ୍ ଡ୍ୟୁପ୍ଲେସି, ସୁରେଶ ରୈନାଙ୍କ ଭଳି ଖେଳାଳୀ ବିଫଳ ହୋଇଥିଲେ । ଅମ୍ବାତି ରାଇଡୁ ୨୯ ରନର ଇନିଂସ ଖେଳିଥିଲେ କିନ୍ତୁ ଏହାକୁ ବଡ ସ୍କୋରରେ ପରିଣତ କରିପାରିନଥିଲେ । ତେବେ ଏହି କଠିନ ସମୟରେ ଦଳର ଦାୟିତ୍ୱ ମୁଣ୍ଡାଇଥିଲେ ଧୋନୀ । ସେ ୪୮ ବଲରେ ୭ ଛକା ଏବଂ ୪ ଚୌକାର ସହାୟତାରେ ୮୪ ରନର ଇନିଂସ ଖେଳିଥିଲେ । ତେବେ ଦଳ ବିଜୟ ଠାରୁ ଏକ ରନ ଦୂରରେ ରହିଯାଇଥିଲା । ଚଳିତ ଆଇପିଏଲରେ ଧୋନୀ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । ୪ ବର୍ଷ ତଳର ଏହି କ୍ଷତି ଭରିବାକୁ ଧୋନୀଙ୍କ ପାଖରେ ବଡ ସୁଯୋଗ ରହିଛି ।