ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଦଳକୁ ଫେରିବେ କି ଧୋନୀ? ଚର୍ଚ୍ଚା ବଢାଇଲା ଶାସ୍ତ୍ରୀଙ୍କ ବୟାନ ।

792

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ଆସନ୍ତା ଜୁନ୍ ୭ ତାରିଖରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଏହି ମ୍ୟାଚ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିସାରିଛି ବିିସିସିଆଇ । ହେଲେ ଏହାରି ଭିତରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଦେଇଥିବା ଏକ ବୟାନ ଏବେ ସବୁଠି ଚର୍ଚ୍ଚା ସାଉଣ୍ଟିଛି ।

ରବି ଶାସ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ । ରିର୍ଟାୟରମେଣ୍ଟ ନିଷ୍ପତ୍ତିକୁ ଫେରାଇ ନେଇ ଧୋନୀ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଖେଳନ୍ତୁ ବୋଲି ଶାସ୍ତ୍ରୀ କହିଛନ୍ତି । କାହିଁକି ନା, ଧୋନୀ ଆଜି ବି ଫିଟ୍ ଅଛନ୍ତି, ଏବଂ ଚମତ୍କାର କିପିଂ କରୁଛନ୍ତି । ତେଣୁ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସେ କିପିଂ କଲେ ଏହାର ଲାଭ ଭାରତ ପାଇବ ବୋଲି ଶାସ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧୋନୀ କିନ୍ତୁ ଏହି ନିଷ୍ପତ୍ତି କଦାପି ନେବେନି । ସେ ଥରେ ଯେଉଁ ନିଷ୍ପତ୍ତି ନିଅନ୍ତି, ଏହାପରେ କେବେ ବି ପଛକୁ ଫେରନ୍ତିନି । ସେ ଯେବେ ଟେଷ୍ଟରୁ ଅବସର ନେଲେ, ସେତେବେଳେ ଶହେ ଟେଷ୍ଟ ଖେଳିବାରୁ ସେ ୧୦ଟି ଟେଷ୍ଟ ଦୂରରେ ଥିଲେ । ତେବେ ସେ ସନ୍ନ୍ୟାସ ନେବା ସହିତ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷିତ ହୋଇଥିବା ଦଳରେ ୱିକେଟ୍ କିପର ଭାବେ କେ ଏସ ଭରତ ରହିଛନ୍ତି । ତାଙ୍କ ସହିତ କେ ଏଲ ରାହୁଲ ମଧ୍ୟ ୱିକେଟ୍ କିପିଂ କରିବାକୁ ସକ୍ଷମ । ହେଲେ ଏହି ଦୁଇ ଖେଳାଳିଙ୍କ ବ୍ୟାଟିଂ ଫର୍ମ କିନ୍ତୁ ରୋହିତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।