କନକ ବ୍ୟୁରୋ: ବୋଧହୁଏ...ଏହା ପୂର୍ବରୁ କୌଣସି କ୍ରିକେଟରଙ୍କ ଏତେ ପୋଷ୍ଟର କେବେ ବି ଲାଗିନଥିବ । ତାହା ବି ପୁଣି ୫୦ ଫୁଟ୍ ଉଚ୍ଚର । ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ସତ । ହେଲେ ଏବେ ବି ଫ୍ୟାନ୍ସଙ୍କ ଭିତରେ ତାଙ୍କର କ୍ରେଜ୍ ଶେଷ ହୋଇନି । ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ କେରଳର ଥିରୁଅନନ୍ତପୁରମରେ ଖେଳାଯାଉଥିବାବେଳେ, ସେଠାରେ ମଧ୍ୟ ଦେଖିବାକୁ ମିଳିଛି ଥାଲ୍ଲା (ମହେନ୍ଦ୍ର ସିଂହ ଧୋନୀ)ଙ୍କ କ୍ରେଜ୍ ।

Advertisment

ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଆଉ ଏହି ଷ୍ଟାଡିୟମ ବାହାରେ ଲାଗିଛି ଭାରତର ସବୁଠୁ ସଫଳ ଅଧିନାୟକଙ୍କ ୫୦ ଫୁଟର ପୋଷ୍ଟର । ଧୋନୀଙ୍କ ଫ୍ୟାନ୍ସମାନେ ଏକ ନିଆରା ଢଙ୍ଗରେ ଧୋନୀଙ୍କୁ ମନେ ପକାଇବା ସହିତ ଏହି ପୋଷ୍ଟର ଲଗାଇଛନ୍ତି ।

ଧୋନୀଙ୍କର ଏହି ବଡ ପୋଷ୍ଟରର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ଧୋନୀଙ୍କ ଜନ୍ମଦିନରେ ମଧ୍ୟ ଏହିଭଳି ଏକ ବିଶାଳ ପୋଷ୍ଟର ଲଗାଯାଇଥିଲା । ଧୋନୀ ଦକ୍ଷିଣ ଭାରତରେ ଥାଲ୍ଲା ନାମରେ ବେଶ ପରିଚିତ । ତେଣୁ ଥାଲ୍ଲାଙ୍କୁ ମନେ ପକାଇବା ସହ ତାଙ୍କ ଫ୍ୟାନ୍ସମାନେ ଏହି ବିଶାଳ ପୋଷ୍ଟର ଲଗାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ, ଯିଏକି ଭାରତର ନେତୃତ୍ୱ ନେଇ ତିନି ତିନୋଟି ଆଇସିସି ଟ୍ରଫି ଜିତାଇଛନ୍ତି । ୨୦୦୭ରେ ଟି-୨୦ ବିଶ୍ୱକପ୍ ସହ ୨୦୧୧ରେ ଦିନିକିଆ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏହି ସମୟରେ ଧୋନୀ ଦଳର ନେତୃତ୍ୱ ନେବା ସହିତ ଦଳକୁ ଚାମ୍ପିୟନ୍ କରିଥିଲେ । ତେବେ ଗତ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବାବେଳେ, ଏବେ ବି ଫ୍ୟାନ୍ସଙ୍କ ଭିତରେ ତାଙ୍କ କ୍ରେଜ୍ ରହିଛି ।