ଯଦି ସତରେ ଦ୍ରାବିଡ୍ ଟିମ୍ ଇଣ୍ଡିଆର କୋଚ୍ ହେବେ, ବାକି ଦେଶ ଏବେଠୁ ସାବଧାନ୍ ହୋଇଯିବା ଉଚିତ୍ । ପଢନ୍ତୁ, କିଏ ଏବଂ କାହିଁକି କହିଲେ ଏମିତି କଥା…

540

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବେ ରାହୁଲ ଦ୍ରାବିଡ୍ । ଆଇପିଏଲ୍ ଶେଷ ହେବା ପରେ ଶନିବାର ଏପରି କିଛି ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । କୁହାଯାଉଛି ରବି ଶାସ୍ତ୍ରୀ ବିଶ୍ୱକପ ପରେ ଦଳରୁ ବିଦାୟ ନେବେ, ଆଉ ଦଳର ନୂଆ ମଙ୍ଗ ଧରିବେ ପୂର୍ବତନ ଅଧିନାୟକ ତଥା ‘ଦି ୱାଲ୍’ ରାହୁଲ ଦ୍ରାବିଡ୍ । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜିରୁ ଦ୍ରାବିଡ୍ ନିଜର ଅଭିଯାନ ଆରମ୍ଭ କରିପାରନ୍ତି ବୋଲି ଏବେ ସୂଚନା ମିଳୁଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦ୍ରାବିଡ୍ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଏକ ଜବରଦସ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ୍ । ଟୁଇଟ୍ କରି ସେ ଲେଖିଛନ୍ତି, ଯଦି ଏହା ସତ ଯେ ରାହୁଲ ଦ୍ରାବିଡ୍ ଟିମ୍ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍ ହେବାକୁ ଯାଉଛନ୍ତି, ତେବେ ବାକି ଦେଶ ସାବଧାନ୍ ହୋଇଯାଆନ୍ତୁ ।

ସେହିପରି ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ୱାସିମ୍ ଜାଫର ଦ୍ରାବିଡଙ୍କ କୋଚ୍ ହେବା ଖବରକୁ ନେଇ ଏକ ମଜାଦାର ଟୁଇଟ୍ କରିଛନ୍ତି । ସେ ଦ୍ରାବିଡଙ୍କ କୋଚ୍ ହେବା ପଛର ଶ୍ରେୟ ସାର୍ଦ୍ଦୁଲ ଠାକୁରଙ୍କୁ ଦେଇଛନ୍ତି । ଟୁଇଟ୍ କରି ୱାସିମ୍ ଜାଫର ଲେଖିଛନ୍ତି, “ଗତକାଲି ପର୍ଯ୍ୟନ୍ତ ମିଡିଆ ରିପୋର୍ଟ ଆସୁଥିଲା ଯେ,ରାହୁଲ ଦ୍ରାବିଡ୍ ଜାତୀୟ କ୍ରିକେଟ୍ ଏକାଡେମୀରେ ହିଁ ରହିବେ । ହେଲେ ଆଜି ସକାଳୁ ସେ ଟିମ୍ ଇଣ୍ଡିଆର କୋଚ୍ ହେବା ଖବର ଆସିଥିଲା । ହେଲେ ରାତି ଅଧରେ ଏମିତି କଣ ହେଲା? ମୋ ଅନୁମାନ, ସାର୍ଦ୍ଦୁଲ ନିଜ ଜନ୍ମଦିନରେ ରାହୁଲଙ୍କଠୁ କୋଚିଂ ନେବା ନେଇ ଯେଉଁ ଇଚ୍ଛା ପ୍ରକାଶ କରିଥିଲେ, ତାହା ତାଙ୍କର ସତ ହୋଇଛି ।”

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ରବି ଶାସ୍ତ୍ରୀ ବିଦାୟ ନେବେ । ଏହାପରେ ଏହି ପଦରେ ରାହୁଲ ଦ୍ରାବିଡ୍ ବସିବା ନେଇ ଖବର ମିଳୁଛି । ଶୁକ୍ରବାର ଆଇପିଏଲ୍ ଫାଇନାଲ ଅବସରରେ ରାହୁଲଙ୍କ ସହିତ ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଆଲୋଚନା କରିଥିଲେ । ଯେଉଁଥିରେ ସେ ସମ୍ମତି ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୨୦୨୩ ବିଶ୍ୱକପ୍ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ସୂଚନା ମିଳୁଛି । ଏହି ଦାୟିତ୍ୱ ପାଇଁ ବିସିସିଆଇ ରାହୁଲ ଦ୍ରାବିଡଙ୍କୁ ମୋଟ୍ ୧୦ କୋଟି ଟଙ୍କା ଦେବ । ତେବେ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ ।