କନକ ବ୍ୟୁରୋ: ଚଳିତ ବର୍ଷ ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେବାକୁ ଅଛି । ହେଲେ ପାକିସ୍ତାନ ଗସ୍ତରେ ଯାଇ ଏସିଆ କପ୍ ଖେଳିବାକୁ ରାଜି ହେଉନି ଟିମ୍ ଇଣ୍ଡିଆ । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଖୋଲାଖୋଲି ପ୍ରତିକ୍ରିୟା ରଖିସାରିଥିବାବେଳେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଏହାକୁ ନେଇ ଚିନ୍ତାରେ ରହିଛି । ଏମିତିକି ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଗଲେ, ପାକିସ୍ତାନ ଟିମ୍ ମଧ୍ୟ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବନି ବୋଲି କହିସାରିଲାଣି । ହେଲେ ଏସବୁ ବିବାଦ ଭିତରେ ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର କମରାନ୍ ଆକମଲ୍ ।

Advertisment

ପାକିସ୍ତାନ ଟିମର ପୂର୍ବତନ ୱିକେଟ୍ କିପରଙ୍କ କହିବା କଥା, ପାକିସ୍ତାନର ମଧ୍ୟ ଇଜ୍ଜତ ଅଛି । ଯଦି ଏସିଆ କ୍ପ ଖେଳିବାକୁ ଟିମ୍ ଇଣ୍ଡିଆ ପାକିସ୍ତାନ ଆସୁନି, ତେବେ ପାକିସ୍ତାନ ମଧ୍ୟ ଭାରତ ଯିବା ଉଚିତ୍ ନୁହେଁ । ପାକିସ୍ତାନ ଟିମ୍ ସିଲେକ୍ସନ କମିଟିର ମେମ୍ବର ଥିବା କାମରାନ ଆକମଲ କହିଛନ୍ତି ଯେ, ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସିବାକୁ ରାଜି ନୁହେଁ, ତେବେ ଆମେ ବି ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଯିବା ଠିକ୍ ନୁହେଁ । ଆମର ବି ଇଜ୍ଜତ ଅଛି । ଆମେ ବି ବିଶ୍ୱ ଚାମ୍ପିୟନ୍ ହେଇଛୁ ।

ସୂଚନାଯୋଗ୍ୟ ଯେ, ଏସିଆ କପକୁ ନେଇ ବିବାଦ ଉପୁଜିବା ଭିତରେ କେଉଁଠି ଏସିଆ କପ୍ ଖେଳାଯିବା ତାକୁ ନେଇ ଏବେ ବି ପ୍ରଶ୍ନଚିହ୍ନ ଲାଗିରହିଛି । ବିସିସିଆଇ ପାକିସ୍ତାନ ଯିବାକୁ ସ୍ପଷ୍ଟ ଭାବେ ମନା କରିଥିବାବେଳେ, ପାକିସ୍ତାନରେ କେମିତି ଏସିଆ କପ୍ ଆୟୋଜନ ହେବ, ତାହା ଆଲୋଚନାର ବିଷୟ ।ତେବେ ଏକ ନିରପେକ୍ଷ ଭେନ୍ୟୁରେ ଏସିଆ କପ୍ ଆୟୋଜନ କରିବାକୁ ବିଚାର କରାଯାଉଥିବା ସୂଚନା ରହିଛି । ଭାରତୀୟ ଟିମ୍ ନିଜ ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବାକୁ ଯୋଜନା କରାଯାଉଥିବାବେଳେ, ଅନ୍ୟ ସବୁ ଟିମ୍ ପାକିସ୍ତାନରେ ନିଜ ମ୍ୟାଚ୍ ଖେଳିବେ । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାର ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।