ଇଂଲଣ୍ଡ ଟେଷ୍ଟ ଦଳର କ୍ୟାପଟେନ୍ ପଦ ଛାଡିଲେ ଜୋ ରୁଟ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଜ୍ୟାଜନକ ପରାଜୟ ପରେ ନେଲେ ବଡ ନିଷ୍ପତ୍ତି ।

120

କନକ ବ୍ୟୁରୋ: ଇଂଲଣ୍ଡ ଦଳର ଟେଷ୍ଟ କ୍ୟାପଟେନ୍ ପଦ ଛାଡିଲେ ଜୋ ରୁଟ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଜ୍ୟାଜନକ ପରାଜୟ ପରେ ସେ ଅଧିନାୟକ ପଦ ଛାଡି ଦେଇଛନ୍ତି । ତେବେ ୩୧ ବର୍ଷୀୟ ରୁଟ୍ ୨୦୧୭ ମସିହାରେ ଆଲିଷ୍ଟର କୁକଙ୍କ ପରେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ହେଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡ ୧୦ ୱିକେଟରେ ପରାସ୍ତ ହେବା ଓ ଲଗାତର ୯ମ ପରାଜୟ ଭୋଗିବା ପରେ ରୁଟ୍ ଅଧିନାୟକ ପଦକୁ ବାଏ ବାଏ କହିଛନ୍ତି ।

ଏକ ବୟାନ ଜାରି କରି ରୁଟ୍ କହିଛନ୍ତି, କ୍ୟାପଟେନ୍ ପଦ ଛାଡିବା ପାଇଁ ଏହା ସବୁଠୁ ସଠିକ୍ ସମୟ । ମୋ ଦେଶର ଅଧିନାୟକ ଭାବେ କାମ କରିବା ମୋ ପାଇଁ ବହୁତ ଗର୍ବର ବିଷୟ । ଗତ ୫ ବର୍ଷକୁ ମୁଁ ବେଶ ଗର୍ବ ସହ ଦେଖିବି ।

ସୂଚନାଯୋଗ୍ୟ ଯେ, ଗତ ୫ବର୍ଷ ଧରି ରୁଟ୍ ଇଂଲଣ୍ଡ ଦଳର ଅଧିନାୟକ ରହିଥିଲେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ମୋଟ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହା ଭିତରୁ ସେ ୨୭ଟିରେ ବିଜୟୀ ହୋଇଥିବାବେଳେ, ୨୬ଟିରେ ପରାଜିତ ହୋଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗତ ୧୭ଟି ଟେଷ୍ଟ ମ୍ୟାଚରୁ ସେ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିଥିଲେ । ଯେଉଁ କାରଣରୁ ଅଧିନାୟକ ପଦ ଛାଡିବା ନେଇ ତାଙ୍କ ଉପରେ ଚାପ ରହିଥିଲା ।