କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷରେ ଧୂଆଁଧାର ଦ୍ୱି-ଶତକୀୟ ଇଂନିସ ଖେଳିଛନ୍ତି ଇଶାନ କିଷାନ । ୨୪ ବର୍ଷୀୟ ଏହି କ୍ରିକେଟର ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ୨୧୦ ରନର ଇଂନିସ ଖେଳିବା ସହିତ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଇଶାନ କିଷାନଙ୍କର ଏହି ମ୍ୟାଚ୍ ଥିଲା କେବଳ ୧୦ମ ଦିନିକିଆ ମ୍ୟାଚ୍ , ଯେଉଁ ମ୍ୟାଚରେ ସେ ଏହି ରେକର୍ଡ ଠିଆ କରିଛନ୍ତି । ତେବେ କ୍ରିକେଟ୍ ଇତିହାସକୁ ଦେଖିଲେ, ତେନ୍ଦୁଲକର ଦିନିକିଆ ମ୍ୟାଚରେ ଯେଉଁ ୨୦୦ ରନ୍ କରିବାକୁ ୪୪୨ଟି ଦିନିକିଆ ନେଇଥିଲେ । ସେହି ଦ୍ୱି-ଶତକ କେବଳ ନିଜର ୧୦ମ ମ୍ୟାଚରେ ମାରିଛନ୍ତି ଇଶାନ କିଷାନ ।

Advertisment

ଇଶାନ କିଷାନ ୨୦୨୧ ପରଠାରୁ ଟିମ୍ ଇଣ୍ଡିଆ ପାଇଁ ଖେଳିଆସୁଛନ୍ତି । ବିଶେଷକରି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ସେ ଦଳରେ ସ୍ଥାନ ପାଇଛନ୍ତି । ଏଥର ମଧ୍ୟ ବାଂଲାଦେଶ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଆହତ ହେବା କାରଣରୁ ସେ ଦଳକୁ ଫେରିଛନ୍ତି । ଆଉ ଠିକଣା ସମୟରେ ନିଜର ଜଲୱା ଦେଖାଇଛନ୍ତି ଇଶାନ ।

ତେବେ ଇଶାନ କିଷାନ ମୋଟ ୧୩୧ ବଲ ଖେଳି ୨୪ ଚୌକା ଓ ୧୦ଟି ଛକା ବଳରେ ଏହି ଦ୍ୱି-ଶତକ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ଖେଳିଥିବା ୯ଟି ଦିନିକିଆ ମ୍ୟାଚରେ ତାଙ୍କର ସର୍ବମୋଟ ରନ୍ ଥିଲା ୨୬୭ ରନ୍ । ଏହା ପୂର୍ବରୁ ସେ କେବେ ବି ଦିନିକିଆରେ ଶତକ ଅର୍ଜନ କରିନଥିଲେ ।

ଅନ୍ୟପଟେ ଚତୁର୍ଥ ଭାରତୀୟ ଭାବେ ଦିନିକିଆ ମ୍ୟାଚରେ ଦ୍ୱି-ଶତକ ଅର୍ଜନ କରିଛନ୍ତି ଇଶାନ କିଷାନ । ସଚ୍ଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ରୋହିତ ଶର୍ମାଙ୍କ ପରେ ଇଶାନ କିଷାନ ଦିନିକିଆ କ୍ରିକେଟରେ ଦ୍ୱି-ଶତକ ମାରିଛନ୍ତି ।