କେବେ ହେବ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା? ପଢନ୍ତୁ, ଆଇପିଏଲକୁ ନେଇ ବଡ ଖବର…

190

କନକ ବ୍ୟୁରୋ: ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍ ସାମିଲ ହେବାକୁ ଯାଉଛନ୍ତି । ଏନେଇ ବିସିସିଆଇ ତରଫରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିବାବେଳେ, ଅହମ୍ମଦାବାଦ ଓ ଲକ୍ଷ୍ନୌ ଦଳ ଆଇପିଏଲରେ ସାମିଲ ହେବେ । ତେବେ ଏହା ପୂର୍ବରୁ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା କେବେ ହେବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏଥର ଆଇପିଏଲରେ ବଡ ଧରଣର ଖେଳାଳି ନିଲାମ ପ୍ରକ୍ରିୟା ହେବାକୁ ଯାଉଛି । ଯେଉଁଠି ପ୍ରତି ଦଳ ନିଜ ଦଳରେ ୨୫ ଜଣ ଖେଳାଳିଙ୍କୁ ସାମିଲ କରିବେ । ତେବେ ଏହା ୨୫ ଜଣ ଖେଳାଳିଙ୍କ ଭିତରେ ୮ ଜଣ ବିଦେଶୀ ଖେଳାଳି ମଧ୍ୟ ସାମିଲ ରହିବେ । ତେବେ ଆଇପିଏଲରେ ୨ଟି ନୂଆ ଟିମ୍ ସାମିଲ ହେବାକୁ ଥିବାବେଳେ ପ୍ରାୟ ୫୦ ଜଣ ନୂଆ ଖେଳାଳିଙ୍କୁ ଆଗାମୀ ଆଇପିଏଲରେ ଦେଖିବାକୁ ମିଳିପାରେ ।

ଇନସାଇଡ୍ ସ୍ପୋର୍ଟସର ଖୁବର ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଏହି ଖେଳାଳି ନିଲାମ ପ୍ରକ୍ରିୟା ହୋଇପାରେ । ସବୁ ପୁରୁଣା ଦଳ ନିଜ ଖେଳାଳିଙ୍କ ରିଟେନ୍ ପ୍ରକ୍ରିୟା ଶେଷ କରିବା ପରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ଆଗାମୀ କିଛି ଦିନ ଭିତରେ ଖେଳାଳି ରିଟେନ୍ ରଖିବା ନେଇ ତାରିଖ ଚୂଡାନ୍ତ ହୋଇପାରେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ଆଇପିଏଲରେ ୧୦ଟି ଦଳ ଭାଗ ନେବେ । ବର୍ତ୍ତମାନର ୮ଟି ଦଳ ସହ ଅହମ୍ମଦାବାଦ ଓ ଲକ୍ଷ୍ନୌ ନୂଆ ଟିମ୍ ଭାବେ ଆଇପିଏଲରେ ସାମିଲ ହେବେ । ଦୁଇଟି ନୂଆ ଟିମ୍ ସାମିଲ ହେବା ପରେ ଆଇପିଏଲରେ ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।