ସନରାଇଜର୍ସ ସହ ସମ୍ପର୍କ ଶେଷ କଲେ ୱାର୍ଣ୍ଣର । ଆସନ୍ତାବର୍ଷ ଖେଳାଳି ନିଲାମରେ ସାମିଲ ହେବାକୁ ନେଲେ ନିଷ୍ପତ୍ତି ।

301

କନକ ବ୍ୟୁରୋ: ଆଇପିଏଲକୁ ନେଇ ଆସିଲା ବଡ ଖବର । ସନରାଇଜର୍ସ ହାଇଦ୍ରାବାଦ ଦଳ ଛାଡିଲେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର । ଏଥିସହିତ ସେ ଆଗାମୀ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଯାଉଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଆଗାମୀ ଆଇପିଏଲରେ ଡେଭିଡ୍ ୱାର୍ଣ୍ଣରଙ୍କୁ ନୂଆ ଦଳ ସହ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସେନ୍ ରେଡିଓ ସହ ଏକ ଇଣ୍ଟରଭ୍ୟୁରେ ୱାର୍ଣ୍ଣର କହିଛନ୍ତି, ଦଳ ତାଙ୍କର ସାଥ୍ ଛାଡିଦେଲା ତେଣୁ ସେ ତାଙ୍କର ନାଁ ନିଲାମରେ ରଖିବାକୁ ଯାଉଛନ୍ତି । ତେବେ ଆଗାମୀ ଖେଳାଳି ନିଲାମ ପ୍ରକ୍ରିୟାରେ ସନରାଇଜର୍ସ ଦଳ ତାଙ୍କୁ ରିଟେନ୍ କରିବା ଭଳି ଲାଗୁନି । ତେଣୁ ସେ କୌଣସି ନୂଆ ଟିମ ସହ ଯୋଡି ହୋଇପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ଦଳ ୱାର୍ଣ୍ଣରଙ୍କ ନେତୃତ୍ୱରେ ୨୦୧୬ରେ ଆଇପିଏଲ୍ ଟ୍ରଫି ହାତେଇଥିଲା । ଗତ ୮ଟି ସିଜିନ ଧରି ସେ ଦଳ ସହିତ ରହିିଥିଲେ । ହେଲେ ଚଳିତ ଥର ଦଳ ତାଙ୍କୁ କ୍ୟାପଟେନ୍ ପଦରୁ ହଟେଇବା ସହିତ ଚୂଡାନ୍ତ ଏକାଦଶରେ ମଧ୍ୟ ସାମିଲ କରିନଥିଲା । ଦୁବାଇରେ ହୋଇଥିବା ଆଇପିଏଲରେ ସେ ମାତ୍ର ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ । ଯାହା ପରେ ସେ ଏବେ ସନରାଇଜର୍ସ ଦଳ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତାବର୍ଷଠାରୁ ଆଇପିଏଲରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି । ତେଣୁ ଏହି ଦୁଇ ଦଳ ଭିତରେ ୱାର୍ଣ୍ଣର ଗୋଟିଏ ଦଳର ନେତୃତ୍ୱ ନେଇପାରନ୍ତି । ଏହି ଦୁଇ ନୂଆ ଦଳ ଭିତରେ କୌଣସି ବି ଦଳ ୱାର୍ଣ୍ଣରଙ୍କୁ ନିଜ ଦଳରେ ସାମିଲ କରିପାରେ । ଖାଲି ସେତିକି ନୁହେଁ ଏଥର ଆଇପିଏଲ ଖେଳାଳି ନିଲାମ ବଡ ଆକାରରେ ହେଉ ଥିବାରୁ ୱାର୍ଣ୍ଣରଙ୍କୁ କିଣିବାକୁ ୧୦ ଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।