କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଏବେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଛି । ଚଳିତଥର ଟିମ୍ ଇଣ୍ଡିଆ ଦଳଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ମାତ୍ର କେଇ ଜଣ ଖେଳାଳୀଙ୍କୁ ଛାଡିଦେଲେ ଅନ୍ୟମାନେ ବିଶ୍ୱକପରେ ବିଫଳ ହୋଇଛନ୍ତି । ଆଡିଲେଡରେ ୧୦ ୱିକେଟରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିବା ବେଳେ ପୁଣିଥରେ ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ଆଗାମୀ ୨୦୨୪ରେ ପୁଣିଥରେ ଟି-୨୦ ବିଶ୍ୱକପ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ବିସିସିଆଇ ବଡ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଖାସକରି ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ପଦକୁ ନେଇ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭବିଷ୍ୟତରେ ଟି-୨୦ ଫର୍ମାଟରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ମଙ୍ଗ ଧରିପାରନ୍ତି । ବିସିସିଆଇ ବରିଷ୍ଠ ଅଧିକାରୀ ମଧ୍ୟ ବିଧିବଦ୍ଧ ଭାବେ ଏନେଇ ମୁହଁ ଖୋଲିନଥିବା ବେଳେ ନାଁ ଗୋପନ ରଖି ଏବାବଦରେ ସଂକେତ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ବିସିସିଆଇ ଚଳିତ ଟି-୨୦ ବିଶ୍ୱକପ୍ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲା । ଆଗୁଆ ଟିମକୁ ଅଷ୍ଟ୍ରେଲିଆ ପଠାଇଥିଲା । ତେବେ କିଛି ଖେଳାଳୀ ଆହତ ହେବା କାରଣରୁ ବିସିସିଆଇର ଯୋଜନା ପ୍ରଭାବିତ ହୋଇଥିଲା । କିନ୍ତୁ ଖେଳରେ ଏମିତି ହୁଏ । ତେବେ ଆଗକୁ ବିସିସିଆଇ କଡା ନିଷ୍ପତ୍ତି ନେବ । ଯାହା ଟିମ୍ ଇଣ୍ଡିଆରେ ବଡ ଧରଣର ପରିବର୍ତ୍ତନ ଆଣିପାରେ ।

Advertisment

ସେହିଭଳି ସେମିଫାଇନାଲ ମୁକାବିଲା ପରେ ସୁନୀଲ ଗାଭାସ୍କର କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ନିଶ୍ଚିତ ରୂପେ ଭବିଷ୍ୟତରେ ଟିମ୍ ଇଣ୍ଡିଆର ମଙ୍ଗ ଧରିବେ । ଅଧିନାୟକ ଭାବେ ପ୍ରଥମ ପ୍ରୟାସରେ ଆଇପିଏଲ ଜିତିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ରେସରେ ଆଗରେ ରଖିଛି । ସେହିଭଳି କିଛି ଖେଳାଳୀ ଅବସର ମଧ୍ୟ ନେବେ । ଆଗକୁ କଣ ହେବ କହିହେବନି । ୩୦ରୁ ୪୦ ବର୍ଷ ମଧ୍ୟରେ ଏମିତି ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ ଭାରତର ଟି-୨୦ ଦଳରେ ନିଜର ଭବିଷ୍ୟତ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।
ଚଳିତ ଟି-୨୦ ବିଶ୍ୱକପରେ ସିନିୟର ଖେଳାଳୀ ଭାବେ ବିରାଟଙ୍କୁ ଛାଡିଦେଲେ ବ୍ୟାଟିଂରେ ସେଭଳି ପ୍ରଭାବୀ ପ୍ରଦର୍ଶନ କରିବାରେ କେହି ସଫଳ ହୋଇନଥିଲେ । ବିରାଟ ବିଶ୍ୱକପର ସର୍ବାଧିକ ରନ୍ ସ୍କୋରର ହୋଇଥିବା ବେଳେ ସିନିୟର ଖେଳାଳୀ ଭାବେ ରୋହିତ, ଅଶ୍ୱିନୀ ଓ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ନିରାଶଜନକ ରହିଥିଲା । ତେଣୁ ହୁଏତ ଗାଭାସ୍କର ଏହି ଖେଳାଳୀଙ୍କ ଆଡକୁ ଇଙ୍ଗିତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ କୌଣସି ଖେଳାଳୀଙ୍କୁ ଟି-୨୦ ଫର୍ମାଟରୁ ଅବସର ନେବାକୁ କହିବନି । କିନ୍ତୁ ଟିମ୍ ଇଣ୍ଡିଆର ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂଆ ଓ ଯୁବ ଖେଳାଳୀଙ୍କୁ ଅଧିକ ସୁଯୋଗ ମିଳିବ । ଯାହାଦ୍ୱାରା ସିନିୟର ଖେଳାଳୀ ଦଳରେ ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପାରେ । ସିନିୟର ଖେଳାଳୀଙ୍କୁ ଦିନିକିଆ ଓ ଟେଷ୍ଟ ମ୍ୟାଚ ଉପରେ ଅଧିକ ଫୋକସ କରିବାକୁ କହିପାରେ ବିସିସିଆଇ । କାରଣ ଆସନ୍ତାବର୍ଷ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ । ତେଣୁ ନିଜ ମାଟିରେ ବିଶ୍ୱକପ ଜିତିବା ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ପ୍ରାଥମିକତା ପାଲଟିବ ।