ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଲା କ୍ରିକେଟ ଅଷ୍ଟ୍ରେଲିଆ । ବାଦ୍ ପଡିଲେ ରୋହିତ, କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ।
କନକ ବ୍ୟୁରୋ : ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଭାରତ ୯ ମ୍ୟାଚରୁ ୯ ମ୍ୟାଚରେ ବିଜୟୀ ହୋଇ ଅପରାଜେୟ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଛି କ୍ରିକେଟ ଅଷ୍ଟ୍ରେଲିଆ । ଯାହା କ୍ରିକେଟପ୍ରେମୀଙ୍କୁ ଚକିତ କରିଛି । କାରଣ କ୍ରିକେଟ ଅଷ୍ଟ୍ରେଲିଆ ବାଛିଥିବା ଟିମରେ ବିରାଟ କୋହଲିଙ୍କୁ ଅଧିନାୟକ କରାଯାଇଥିବା ବେଳେ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଛି । ଏପରିକି ଖେଳାଳୀ ଭାବେ ମଧ୍ୟ ରୋହିତଙ୍କୁ ସ୍ଥାନ ଦେଇନାହିଁ କ୍ରିକେଟ ଅଷ୍ର୍ଟ୍ରେଲିଆ ।

Kanak News is now on WhatsApp
Join and get latest news updates delivered to you via WhatsApp
କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷିତ ହୋଇଥିବା ୧୨ ଜଣିଆ ଟିମରେ ଭାରତର ୪ ଜଣ ଖେଳାଳୀ ରହିଛନ୍ତି । ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କୁ ଦଳରେ ସ୍ଥାନ ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ । ସେହିଭଳି ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ଆଡମ ଜାମ୍ପାଙ୍କୁ ସ୍ଥାନ ମିଳିଥିବା ବେଳେ ଦକ୍ଷିଣ ଆଫ୍ରିକା ଟିମରୁ କ୍ୱିଣ୍ଟନ ଡି କକ୍, ଏଡନ ମାରକ୍ରମ ଓ ମାର୍କୋ ଜାନସେନଙ୍କୁ ସାମିଲ କରାଯାଇଛି । ନ୍ୟୁଜିଲାଣ୍ଡ ଟିମରୁ ରଚିନ୍ ରବୀନ୍ଦ୍ରଙ୍କୁ ଦଳରେ ନିଆଯାଇଥିବା ବେଳେ ୧୨ତମ ଖେଳାଳୀ ଭାବେ ଶ୍ରୀଲଙ୍କାର ଦ୍ରୁତ ବୋଲର ଦିଲସାନ ମଧୁଶଙ୍କାଙ୍କୁ ଟିମରେ ସ୍ଥାନ ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ ।
କ୍ରିକେଟ ଅଷ୍ଟ୍ରେଲିଆ ଘୋଷିତ କରିଥିବା ଟିମରେ ସ୍ଥାନ ପାଇଥିବା ୪ ଭାରତୀୟ ଖେଳାଳୀ ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛନ୍ତି । ବିରାଟ କୋହଲି ଏବେ ପର୍ଯ୍ୟନ୍ତ ୯ଟି ମ୍ୟାଚରୁ ୫ଟି ଅର୍ଦ୍ଧଶତକ ଓ ୨ଟି ଶତକ ସହ ୫୯୪ ରନ୍ କରି ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ଟପ୍ ସ୍କୋରର ରହିଛନ୍ତି । ସେହିଭଳି ନେଦରଲାଣ୍ଡସ ବିପକ୍ଷରେ ଗୋଟିଏ ୱିକେଟ ମଧ୍ୟ ହାସଲ କରିଛନ୍ତି କୋହଲି । ଅନ୍ୟପଟେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବେ ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ରହିଛନ୍ତି । ଜାଡେଜା ଏବେ ସୁଦ୍ଧା ୧୧୧ ରନ୍ କରିଥିବା ବେଳେ ୧୬ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ତେଣୁ ଅଲରାଉଣ୍ଡର ଭାବେ ପ୍ରଥମ ପସନ୍ଦର ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ରବୀନ୍ଦ୍ର ଜାଡେଜା ।
ଦୁଇ ଭାରତୀୟ ବୋଲରଙ୍କୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମରେ ସାମିଲ କରିଛି । ଫର୍ମରେ ଥିବା ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ଏହି ଟିମରେ ସ୍ଥାନ ପାଇଛନ୍ତି । ଯଶପ୍ରୀତ ବୁମରା ୯ଟି ମ୍ୟାଚରୁ ୧୭ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ୫ଟି ମ୍ୟାଚରୁ ୧୬ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଏହି ଟିମ୍ ଚୟନରେ ରୋହିତ ଶର୍ମାଙ୍କୁ ବାଦ୍ ଦେବା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କାରଣ ରୋହିତ ଶର୍ମା ଚଳିତ ବିଶ୍ୱକପରେ ୯ଟି ମ୍ୟାଚରୁ ୫୦୩ ରନ୍ କରିଥିଲେ ମଧ୍ୟ ଟିମରେ ସ୍ଥାନ ଦେଇନାହିଁ କ୍ରିକେଟ ଅଷ୍ଟ୍ରେଲିଆ ।