କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମହିଳା ଆଇପିଏଲ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଅନୁମାନ କରାଯାଉଛି କି, ଫେବୃଆରୀ ମାସରେ ଏନେଇ ନିଲାମୀ କରାଯିବ । କିଛିଦିନ ତଳେ ବିସିସିଆଇ ତରଫରୁ ଟୁର୍ଣ୍ଣାମେଣ୍ଟ ପାଇଁ ମାଲିକାନା ହକ୍ ପାଇଁ ଟେଣ୍ଡର ଜାରି କରିଛି ଓ ମିଡିଆ ରାଇଟସ ପାଇଁ ମଧ୍ୟ ଟେଣ୍ଡର ଜାରି କରାଯାଇଛି ।

Advertisment

ମହିଳା ଆଇପିଏଲକୁ ନେଇ ବିସିସିଆଇ ଖେଳାଳୀମାନଙ୍କୁ ମଧ୍ୟ ସୂଚନା ଦେଇଛି । ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଟୁର୍ଣ୍ଣାମେଣ୍ଟପାଇଁ ଫେବୃଆରୀମାସରେ ନିଲାମ ହେବ । ଏଥିପାଇଁ ଖେଳାଳୀମାନଙ୍କୁ ଜାନୁଆରୀ ୨୬ ତାରିଖ ସୁଦ୍ଧା ପଞ୍ଜିକରଣ କରିବାକୁ ପଡିବ । ଖେଳାଳୀମାନଙ୍କୁ ଯେଉଁ ଆବେଦନ ଫର୍ମ ଦିଆଯାଇଛି ସେଥିରେ ମହିଳା ଆଇପିଏଲ ବଦଳରେ ମହିଳା ଟି-୨୦ ଲିଗ୍ ବୋଲି ଲେଖାଯାଇଛି । ଏଥିରୁ ଅନୁମାନ କରାଯାଉଛି କି, ଏହି ଟୁର୍ଣ୍ଣାମେଣ୍ଟକୁ ମହିଳା ଟି-୨୦ ଲିଗ୍ ନାମରେ ନାମିତ କରାଯିବ ।

ବିସିସିଆଇ ତରଫରୁ କ୍ୟାପ୍ଡ ଓ ଅନକ୍ୟାପ୍ଡ ଦୁଇପ୍ରକାର ଖେଳାଳୀଙ୍କ ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । କ୍ୟାପ୍ଡ ଖେଳାଳୀଙ୍କ ପାଇଁ ବେସ୍ ପ୍ରାଇସ୍ ୫୦ ଲକ୍ଷ ୪୦ଲକ୍ଷ ଓ ୩୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଅନକ୍ୟାପ୍ଡ ଖେଳାଳୀଙ୍କ ପାଇଁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ରଖାଯାଇଛି ।

ମହିଳା ଟି-୨୦ ର ପଞ୍ଜିକରଣ ଆଇପିଏଲ ଭଳି ହେବ । ଖେଳାଳୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହେବା ପରେ ନିଲାମୀ ତାଲିକା ପ୍ରସ୍ତୁତ କରି ଟିମ୍ ମାଲିକମାନଙ୍କୁ ପ୍ରଦାନ କରାଯିବ । ଯେଉଁ ଖେଳାଳୀମାନେ ଅକ୍ସନରେ ଚୟନ ହେବେ ନାହିଁ ସେମାନଙ୍କୁ ରିପ୍ଲେସମେଣ୍ଟ ଖେଳାଳୀଭାବେ ସୁଯୋଗ ମିଳିପାରେ । ଏପର୍ଯ୍ୟନ୍ତ ମାଲିକାନା ହକ୍ ପ୍ରସ୍ତୁତ ହୋଇନଥିଲେ ସୁଦ୍ଧା ମାର୍ଚ୍ଚ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇପାରେ ବୋଲି ଆକଳନ କରାଯାଉଛି ।