କରୋନା ସଂକ୍ରମିତ ଅଥବା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଲେ ଶବ ସତ୍କାର ହେଉଛି ସତୀଚୌରାରେ। କିନ୍ତୁ ଅନ୍ୟ କାରଣରୁ ମୃତ୍ୟୁ ଘଟୁଥିଲେ ବି ଗାଁକୁ ଯାଉନି ଶବ। ନିଟକ ସଂପର୍କୀୟଙ୍କର ବି ଦେଖା ମିଳୁନି। ଏଭଳି ସ୍ଥିତିରେ ଶବ ସତ୍କାର ପାଇଁ କେବଳ ସ୍ବେଚ୍ଛାସେବୀ ହିଁ ଭରସା। ସ୍ବେଚ୍ଛାସେବୀ ତଥା ଶବର ସାଥୀ ଅଭିମନ୍ୟୁ ଦାସ ଖାନ୍‌ନଗର ସ୍ଥିତ ସ୍ବର୍ଗଧାମରେ ଏଭଳି ପ୍ରାୟ ପ୍ରତ୍ୟେକ ଦିନ ଶବ ସତ୍କାର କରୁଛନ୍ତି। କଟକ ବଡ ଡାକ୍ତରଖାନାରେ ସପ୍ତାହେ ହେଲା କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଜଗତ୍‌ସିଂହପୁର ଜିଲ୍ଲା ‌ଢିଙ୍କିଆ ଗ୍ରାମର ରଘୁନାଥ ଦାସ (୪୫)। ପାଖରେ କେବଳ ସ୍ତ୍ରୀ ପୁନି। ଆଉ ହାତରେ ମାତ୍ର ହଜାରେ ଟଙ୍କା। ଗାଁକୁ ସ୍ବାମୀଙ୍କ ଶବ ନେବାକୁ ଫୋନ କରିବି ନିରାଶ ହୋଇଥିଲେ।

Advertisment

ସ୍ବାମୀଙ୍କ ଶବସତ୍କାର କରିବା ଚିନ୍ତାରେ ରାତି ସାରା ଏସ୍‌ସିବିରେ ସ୍ବାମୀଙ୍କ ଶବ ଧରି ବସିଥିଲେ। ଖବର ପାଇ ପୁଅ ଆସି ପହଞ୍ଚିଥିଲା। କିନ୍ତୁ ଏଭଳି ଘଟଣା ସଂପର୍କରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ଖବର ପାଇ ଅନ୍ୟମାନଙ୍କ ସହଯୋଗରେ ଖାନନଗର ସ୍ଥତି ସ୍ବର୍ଗଧାମରେ ରଘୁନାଥଙ୍କ ଶବ ସତ୍କାର କରିଥିଲେ। ତାଙ୍କ ବିଧବା ସ୍ତ୍ରୀ ଓ ପୁଅଙ୍କୁ ମଧ୍ୟ ଗାଁକୁ ପଠାଇବା ବ୍ୟବସ୍ଥା କରିଥିଲେ। ସେହିପରି କଟକ ମଧୁପାଟଣା ଅଂଚଳର ଜଣେ ୬୭ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ତାଙ୍କର ମଧ୍ୟ କେହି ପରିଜନ ପାଖରେ ନଥିଲେ। ଲକ୍‌ଡାଉନ୍‌ ପାଇଁ ସମସ୍ତେ ବାହାରେ ରହୁଥିବାରୁ କେହି ଆସି ନପାରିବାରୁ ଖବର ପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ, ନୟନ କୁମାର ମହାନ୍ତିଙ୍କୁ ସାଙ୍ଗରେ ନେଇ ଶବସତ୍କାର କରିଥିଲେ। ଅଭିମନ୍ୟୁଙ୍କ କହିବା କଥା ହେଲା ଏଭଳି ଘଟଣା ଏବେ ନିୟମିତ ଦେଖିବାକୁ ମିଳୁଛି। ଯେତିକି ଖବର ପାଉଛୁ ଓ ଯିଏ ସହାଯ୍ୟ ମାଗୁଛନ୍ତି ସେମାନଙ୍କୁ ସେମାନେ ତୁରନ୍ତ ସହାୟତା ଯୋଗାଇ ଦେଉଛନ୍ତି। ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତିଙ୍କର ଅବଶ୍ୟ ସହଯୋଗ ମିଳୁଛି ବୋଲି ସେ କହିଛନ୍ତି।