ପଂଚଭୂତରେ ଲୀନ ହେଲେ ସୁଜ୍ଞାନ କୁମାରୀ ଦେଓ । ଖଲ୍ଲିକୋଟ ରାଜ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ୍ ଅନର୍

ରାଣୀ ମା’ଙ୍କ ଯୁଗ ସରିଲା

169

କନକ ବ୍ୟୁରୋ : ଗଞ୍ଜାମ ରାଜନୀତିର ଅପ୍ରତିଦ୍ୱନ୍ଦୀ ନେତ୍ରୀ, ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଛି । ପଂଚଭୂତରେ ବିଲୀନ ହୋଇଛନ୍ତି ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ । ଖଲ୍ଲିକୋଟ ସ୍ଥିତ ରାଜ ଶ୍ମଶାନରେ ରାଣୀଙ୍କୁ ରାଷ୍ଟିୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ ଦିଆଯାଇଛି । ରାଜବଂଶର ପୁଅ ପୁରୋହିତ କରେଶ ଆଚାର୍ଯ୍ୟ ମୁଖାଗ୍ନି ଦେଇଛନ୍ତି ।

ରାଣୀଙ୍କ ମରଶରୀର ଖଲ୍ଲିକୋଟ ସ୍ଥିତ ରାଜପ୍ରସାଦରେ ପହଁଚିବା ପରେ, ସେଠାରେ ଜମିଥିଲା ହଜାର ହଜାର ଲୋକଙ୍କ ଭିଡ୍ । ରାଣୀମାଙ୍କ ଅନ୍ତିମ ଦର୍ଶନ କରିଥିଲେ ପରିବାର ଲୋକ, ସମ୍ପର୍କୀୟ, ସମର୍ଥକ, ରାଜନେତା ଓ କର୍ମୀ । ଶେଷ ଦର୍ଶନ କରି ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ ।

ବାସଭବନରେ ଶେଷ ଦର୍ଶନ ପରେ ଅନ୍ତିମ ଯାତ୍ରାରେ ବାହାରିଥିଲା ରାଣୀମାଙ୍କ ମରଶରୀର । ଏକ ବିରାଟ ଶୋଭାଯାତ୍ରାରେ ରାଣୀଙ୍କ ପାର୍ଥୀବ ଶରୀରକୁ ସହର ପରିକ୍ରମା କରାଯାଇଥିଲା । ଏହି ସମୟରେ ଲୋକାରଣ୍ୟ ହୋଇ ପଡିଥିଲା ଖଲ୍ଲିକୋଟ୍ ସହର । କେହି କେହି ରାଣୀମାଙ୍କ ବିୟୋଗକୁ ସହି ନପାରି ଆଖିରୁ ଲୁହ ଝରାଉଥିବା ଦେଖିବାକୁ ମିଳିଥିଲା । ଖଲିକୋଟରୁ ଆସିଥିବା ଏହି ଦୃଶ୍ୟ ହିଁ ବଖାଣୁଥିଲା କେମିତି ଥିଲା ରାଣୀଙ୍କ ଲୋକପ୍ରିୟତା ।

ଶୁକ୍ରବାର ରାତିରେ ଚେନ୍ନାଇ ଆପୋଲୋ ହସ୍ପିଟାଲରେ ସୁଜ୍ଞାନ କୁମାରୀ ଦେଓଙ୍କର ମୃତ୍ୟୁ ହୋଇଥିଲା । ଶନିବାର ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଖଲ୍ଲିକୋଟ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶନିବାର ସନ୍ଧ୍ୟାରେ ରାଣୀଙ୍କ ପ୍ରାର୍ଥୀବ ଶରୀର ଭୁବନେଶ୍ୱରରେ ପହଁଚିଥିଲା । ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ।