କରୋନା ସଂକ୍ରମିତଙ୍କ ଶବର ରିପୋର୍ଟକୁ ଅପେକ୍ଷା ନକରି ପରିବାରକୁ ହସ୍ତାନ୍ତର କଲେ ମେଡ଼ିକାଲ୍ କର୍ତ୍ତୃପକ୍ଷ : ଶବଦାହ କରି ଆକ୍ରାନ୍ତ ହେଲେ ୧୯ ଜଣ ।

977

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହାରି ଭିତରେ ଲୋକଙ୍କ ଖାମଖିଆଲପଣର ଅନେକ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ତେଲେଙ୍ଗାନାରୁ ଏଭଳି ଏକ ଘଟଣା ନଜରକୁ ଆସିଛି । ତେଲେଙ୍ଗାନାର ସଙ୍ଗାରେଡ୍ଡିଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ଶବଦାହ କରିବାକୁ ଯାଇଥିବା ୨୫ ଜଣଙ୍କ ମଧ୍ୟରୁ ୧୯ ଜଣ ଏବେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯ ଆକ୍ରାନ୍ତଙ୍କୁ ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ , କରୋନା ସଂକ୍ରମିତ ୫୫ ବର୍ଷୀୟା ମହିଳାଙ୍କ ଚିକିତ୍ସା ଜହିରାବାଦ୍ ହସ୍ପିଟାଲରେ ଚାଲିଥିଲା । ଜୁନ୍ ୯ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ , ମେଡିକାଲ୍ କର୍ତ୍ତୃପକ୍ଷ ଖାମଖିଆଲଭାବ ଦେଖାଇ ରିପୋର୍ଟକୁ ଅପେକ୍ଷା ନକରି ପରିବାରକୁ ଶବ ହସ୍ତାନ୍ତର କରିଥିଲେ । ରିପୋର୍ଟ ଆସିବା ପରେ ମହିଳା କରୋନା ପଜିଟିଭ୍ ବୋଲି ଜଣାପଡିଥିଲେ । ସେତେବେଳକୁ ପରିବାର ସଦସ୍ୟ ପାରମ୍ପରିକ ରୀତିରେ ମହିଳାଙ୍କ ଶବଦାହ କରିସାରିଥିଲେ । ଶବଦାହ ସମୟରେ ୨୫ ଜଣ ଉପସ୍ଥିତ ଥିଲେ । ପରେ କିଛି ଲୋକଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା । ପରୀକ୍ଷା ପରେ ସେଥିରୁ ୧୯ ଜଣ ପଜିଟିଭ୍ ବୋଲି ଜଣାପଡିଥିଲେ । ଘଟଣାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ।