କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ବିଧେୟକ ପାରିତ ହେବାର କିଛିଦିନ ପରେ ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏହି ବିଲକୁ ନେଇ ପ୍ରଥମକୁ କ୍ରେଡିଟ୍ ୱାର ଦେଖିବାକୁ ମିଳିଥିଲା । ହେଲେ ୫ଟି ରାଜ୍ୟରେ ନିର୍ବାଚନୀ ମଇଦାନକୁ କେଉଁ ରାଜନୈତିକ ଦଳ କେତେ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ତାହା ଜାଣିବା ଆପଣଙ୍କ ପାଇଁ ଜରୁରୀ ।

Advertisment

କେନ୍ଦ୍ର ସରକାର ‘ନାରୀଶକ୍ତି ବନ୍ଦନ’ ନାମରେ ମହିଳାଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଆଇନ ଆଣିଛନ୍ତି । ଏହି ଆଇନ ଆଗାମୀ ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଲାଗୁ ହେବ । ମାତ୍ର ଗ୍ରାଉଣ୍ଡ ଜିରୋରେ ଏବେ ଏହାର କେତେ ପ୍ରଭାବ ଦେଖିବାକୁ ମିଳିଛି । ନିର୍ବାଚନ ହେଉଥିବା ୫ଟି ରାଜ୍ୟରେ ମହିଳା ପ୍ରାର୍ଥୀଙ୍କ ତାଲିକା ଦେଖିବା ପରେ ଜଣାପଡିଛି । ସୂଚନା ମୁତାବକ ବିଜେପି ଓ କଂଗ୍ରେସ ଏହି ୫ଟି ରାଜ୍ୟରେ ମହିଳାଙ୍କୁ ମାତ୍ର ୧୨ ପ୍ରତିଶତ ଟିକେଟ ଦେଇଛି ।

୫ ରାଜ୍ୟ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରମର ମୋଟ ୬୭୯ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଏଥିରେ ବିଜେପି ୬୪୩ ଟି ଓ କଂଗ୍ରେସ ୬୬୬ଟି ଆସନରେ ପ୍ରାର୍ଥୀ ଦେଇଛି । ବିଜେପି ୬୪୩ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୮୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିଭଳି କଂଗ୍ରେସ ୬୬୬ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୭୪ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି ।

ମଧ୍ୟ ପ୍ରଦେଶର ମୋଟ ୨୩୦ ବିଧାନସଭା ଆସନ । ନଭେମ୍ବର ୧୭ ତାରିଖରେ ଭୋଟିଂ ହେବ । ବିଜେପି ୨୮ ଓ କଂଗ୍ରେସ ୩୦ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ୨୪ ଓ କଂଗ୍ରେସ ୨୭ ଜଣ ମହିଳାଙ୍କୁ ଟିକେଟ୍ ଦେଇଥିଲା ।

ରାଜସ୍ଥାନରେ ୨୦୦ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଏଠାରେ ନଭେମ୍ବର ୨୫ ତାରିଖରେ ଭୋଟିଂ ହେବ । ଏଠାରେ ବିଜେପି ୨୦ ଓ କଂଗ୍ରେସ ୨୮ ଜଣ ମହିଳାଙ୍କୁ ଟିକେଟ ଦେଇଛି । ୨୦୧୮ ରେ ବିଜେପି ୨୩ ଓ କଂଗ୍ରେସ ୨୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ।

ଛତିଶଗଡରେ ୯୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଏଠାରେ ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇସାରିଛି ୧୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏଠାରେ ବିଜେପି ୧୪ ଓ କଂଗ୍ରେସ ୩ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି ।

ତେଲେଙ୍ଗାନାରେ ୧୧୯ଟି ବିଧାନସଭା ଆସନ ପାଇଁ ଭୋଟିଂ ହେଉଛି । ଏଠାରେ ନଭେମ୍ବର ୩୦ ତାରିଖରେ ଭୋଟିଂ ହେବ । ଏଠାରେ ବିଜେପି ୧୪ ଓ କଂଗ୍ରେସ ୧୧ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି ।

ମିଜୋରମରେ ୪୦ ଟି ଆସନ ପାଇଁ ନିର୍ବାଚନ ହେଉଛି । ଏଠାରେ ନଭେମ୍ବର ୭ ତାରିଖରେ ଭୋଟିଂ ସରିଛି । ଏଠାରେ କଂଗ୍ରେସ ୨ ଓ ବିଜେପି ୪ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି ।