କନକ ବ୍ୟୁରୋ: ପ୍ରାଇଭେଟ ହସ୍ପିଟାଲରେ ମହାଦୁର୍ନୀତି! ଟଙ୍କା ଲୁଟୁଛନ୍ତି ବିଲିଂ ଏଜେଣ୍ଟ ! ମାଳ ମାଳ କ୍ରେଡିଟ କାର୍ଡ ସାଙ୍ଗକୁ ପୁଳା ପୁଳା ଟଙ୍କା । ଗଦାଗଦା ଚେକବୁକ ଓ ପାସବୁକ ସାଙ୍ଗକୁ କାର୍ଡ ସ୍ୱାଇପ ମେସିନ । ସାଇବର ଥାନା ପୋଲିସ ଠକଙ୍କ ଠାରୁ ଜବତ କରିଛି ସାମଗ୍ରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟିଏ କି ଦୁଇ କୋଟି ନୁହେଁ, ପ୍ରାଇଭେଟ ହସ୍ପିଟାଲ ଗୁଡିକରେ ହୋଇଛି ପାଖାପାଖି ୮ କୋଟି ଟଙ୍କାର ମହାଦୁର୍ନୀତି । କ୍ରେଡିଟ୍ କାର୍ଡ ପେମେଣ୍ଟ ମାଧ୍ୟମରେ ହୋଇଥିବା ଏଭଳି ବଡଧରଣର ଠକେଇ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ମାମଲାରେ ସାଇବର ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିବା ପରେ ଏ ପୂରା ସ୍କାମ ସାମ୍ନାକୁ ଆସିଛି । ସେମାନଙ୍କ ନିକଟରୁ ୪୫୦ଟି କ୍ରେଡିଟ୍ ଓ ଡେବିଟ କାର୍ଡ, ନଗଦ ୭ ଲକ୍ଷ ଟଙ୍କା, ୭୮ଟି ପାସବୁକ୍, ୫୦ଟି ଚେକ ବୁକ୍, ୬ଟି ସ୍ୱାଇପ୍ ମେସିନ ଓ ମନି ରିସିପ୍ଟ ଜବତ କରାଯାଇଛି ।

Advertisment

ଟଙ୍କା ହଡ଼ପ କରିବା ପାଇଁ ନୂଆ ଯୋଜନା କରିଥିଲେ ଏହି ଠକ ଗ୍ୟାଙ୍ଗ ।
- ପ୍ରଥମେ ବିଭିନ୍ନ ଲୋକଙ୍କ ନାରେ ଜାଲ୍ ଡକ୍ୟୁମେଂଟ ଦେଇ କ୍ରେଡିଟ କାର୍ଡ ବନାଉଥିଲେ
- ପ୍ରାଇଭେଟ ହସ୍ପିଟାଲ ବିଲିଂ କାଉଂଟରରେ ଥିବା ଏଜେଂଟ ମାନଙ୍କ ସହ ଡିଲ କରୁଥିଲେ
- ହସ୍ପିଟାଲରେ କ୍ୟାସରେ ପେମେଂଟ କରୁଥିବା ଲୋକଙ୍କ ଠାରୁ କ୍ୟାସ ଗ୍ରହଣ କରୁଥିଲେ ବିଲିଂ ଏଜେଂଟ
- ଲୋକଙ୍କଠୁ ନେଇଥିବା କ୍ୟାସକୁ ହସ୍ପିଟାଲ ଆକାଉଂଟରେ ଆଉ ଡିପୋଜିଟ ନକରି ନିଜ ପାଖରେ ରଖୁଥିଲେ
- ପେମେଂଟ ବାବଦ ସମସ୍ତ ଟଙ୍କାକୁ କ୍ରେଡିଟ୍ କାର୍ଡ ମାଧ୍ୟମରେ ପୈଠ କରୁଥିଲେ
- ନଗଦ ଟଙ୍କାକୁ ହଡ଼ପ କରି ବିଭିନ୍ନ ସ୍ଥାନରେ ଇନଭେଷ୍ଟ କରି ଲାଭ ନେଉଥିଲେ
- କ୍ରେଡିଟ କାର୍ଡ ପେମେଂଟର ବିଲ୍ ଟଙ୍କାକୁ ୪୫ ଦିନ ମଧ୍ୟରେ ସୁଝୁ ନଥିଲେ
- ଫଳରେ କ୍ରେଡିଟ କାର୍ଡ ସଂସ୍ଥା କ୍ଷତି ସହୁଥିଲେ
- ଏପରିିକି ଜାଲ୍ ଡକ୍ୟୁମେଂଟ ଦେଇ ଯାହା ନାଁରେ କ୍ରେଡିଟ କାର୍ଡ ଇସୁ କରାଯାଇଛି, ସେମାନେ ଠକାମୀର ଶିକାର ହେଉଥିଲେ

ତେବେ ଏଭଳି ଠକାମୀ ଘଟଣା ସାମ୍ନାକୁ ଆସିବା ପରେ ଅନେକ ଗୁଡିଏ ପ୍ରଶ୍ନ ସାମ୍ନାକୁ ଆସୁଛି ।
-ଜାଲ୍ ଡକ୍ୟୁମେଂଟ ଦେଇ ଲୋକଙ୍କ ନାଁରେ କ୍ରେଡିଟ କାର୍ଡ କିଭଳି ପ୍ରସ୍ତୁତ ହେଉଛି?
-ଠକଙ୍କୁ କିଏ ଦେଉଛି ଲୋକଙ୍କ ତଥ୍ୟ?
-ନକଲି କ୍ରେଡିଟ୍ କାର୍ଡ ପ୍ରସ୍ତୁତିରେ ବ୍ୟାଙ୍କ ଅଧିକାରୀଙ୍କ ହାତ ରହୁଛି କି?
-ହସ୍ପିଟାଲ ଗୁଡିକରେ ଏଭଳି ଦୁର୍ନୀତି ଚାଲୁଥିବା ବେଳେ କେହି କିଛି ଜାଣିପାରୁନଥିଲେ କେମିତି?