କୋଭିଡ ଆଳରେ ବିଧାନସଭାର ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ବାରଣ । ଲୋକସେବା ଭବନକୁ ମଧ୍ୟ ରିପୋର୍ଟିଂ ପାଇଁ ସାମ୍ବାଦିକଙ୍କୁ ମନା ।

90

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ବେଳେ ପ୍ରେସ ଗ୍ୟାଲେରୀରେ ବସି ପାରିବେ ନାହିଁ ସାମ୍ବାଦିକ । ଯେତେବେଳେ କରୋନା ପରୀକ୍ଷା କରାଯାଇ ବିଧାୟକଙ୍କୁ ଗୃହକୁ ଛଡାଯାଉଛି ଓ ସାମ୍ବାଦିକଙ୍କର ନମୂନା ପରୀକ୍ଷା କରାଯାଇ ବିଧାନସଭା ପରିିସରକୁ ଆସିବାକୁ ଅନୁମତି ମିଳୁଛି, ସେଭଳି ସ୍ଥଳେ ପ୍ରେସ ଗ୍ୟାଲେରୀରେ ବସିବାକୁ କାହିଁକି ଅନୁମତି ଦିଆଯାଉନାହିଁ । ଗଣମାଧ୍ୟମ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରକାଶ କରିବାରେ କାହିଁକି ବାଧା ସୃଷ୍ଟି କରାଯାଉଛି । ପୂର୍ବରୁ କରୋନା ଆଳରେ ଲୋକସେବା ଭବନକୁ ମଧ୍ୟ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ ଲାଗିଛି ।

ଦୀର୍ଘ ଦୁଇ ବର୍ଷ ହେଲା ସମ୍ପୂର୍ଣ୍ଣ କରୋନା କଟକଣା ଭିତରେ ବିଧାନସଭାର କାର୍ଯ୍ୟ ଚାଲୁଛି । ଦୁଇ ବର୍ଷ ହେଲା ସାମ୍ବାଦିକଙ୍କ ପାଇଁ ପ୍ରେସ ଗ୍ୟାଲେରିରେ ପ୍ରବେଶ କଟକଣା ରହିଛି । ବିଧାନସଭାର ଏକ ବାହାର ପ୍ରକୋଷ୍ଠରେ ବସି ରିପୋର୍ଟିଂ କରୁଛନ୍ତି ।

ଏବେ ସ୍ଥିତି ବଦଳିଛି, କରୋନା ସଂକ୍ରମଣ କମିଛି, ରାଜ୍ୟରେ କଟକଣା ହଟିଛି, ଆଉ ନିର୍ବାଚନ ପାଇଁ ବଡ ବଡ ରାଲି ଓ ସରକାରୀ ବୈଠକ ଚାଲିଛି । କିନ୍ତୁ ଏଥର ବଜେଟ ଅଧିବେଶନରେ କୋଭିଡ ଆଳ ଦେଖାଇ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରିକୁ ପ୍ରବେଶ ଅନୁମତି ମିଳୁନି । ଯାହାକୁ ନେଇ ସର୍ବଦଳୀୟ ବୈଠକରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସଂକ୍ରମଣ କମିଥିଲେ ବି ସାମ୍ବାଦିକଙ୍କୁ କାହିଁକି ପ୍ରେସ୍ ଗ୍ୟାଲେରିକୁ ଛଡାଯାଉନି ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ବାଚସ୍ପତି ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ବିଧାନସଭାର କାର୍ଯ୍ୟ ଚାଲୁଛି କହି ବିରୋଧୀଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି । କହିଛନ୍ତି ସଂପୂର୍ଣ୍ଣ ସଂକ୍ରମଣ କମିବା ପରେ ପରବର୍ତି ଅଧିବେଶନରୁ ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରିକୁ ଛଡାଯିବ । ପ୍ରେସ୍ ଗ୍ୟାଲେରିରେ ଅଳ୍ପ ସିଟ୍ ଥିବାରୁ ସାମ୍ବାଦିକଙ୍କୁ ସାମାଜିକ ଦୂରତାରେ ବସିବା ଅସୁବିଧା ହେବ ।

କେବଳ ବିଧାନସଭା ନୁହେଁ କୋଭିଡ ଆଳ ଦେଖାଇ ଲୋକସେବା ଭବନରେ ମଧ୍ୟ ସାମ୍ବାଦିକଙ୍କୁ ରିପୋର୍ଟିଂ କରିବାକୁ ଦିଆଯାଉ ନାହିଁ । ଲୋକସେବା, ବିଧାନସଭା ଏଭଳି ସ୍ଥାନ, ଯେଉଁଠୁ ସରକାରଙ୍କ ନୀତି, ନିଷ୍ପତି ଖବର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଇଥାଏ ସାମ୍ବାଦିକ ।