ଉପରୁ ଖସିଲା ମୃତ୍ୟୁ: କ୍ରେନ ଛିଣ୍ଡିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଦେଶକୁ ଦୋହଲାଇ ଦେଲା ଥାନେ ଘଟଣା ।

1,287

କନକ ବ୍ୟୁରୋ: ପ୍ରତିଦିନ ପରି କାମ ଚାଲିଥିଲା । ପେଟ ପାଟଣା ପାଇଁ ଆସିଥିବା ଶ୍ରମିକ ହୁଏତ ଏକଥା ଜାଣିନଥିଲେ ଯେ କାମ କରୁ କରୁ ଜୀବନ ତାଙ୍କର ଅକାଳରେ ଚାଲିଯିବ । ମହାରାଷ୍ଟ୍ର ଥାଣେରେ ଘଟିଛି ବଡ ଧରଣର ଦୁର୍ଘଟଣା । ବ୍ରିଜ ନିର୍ମାଣ ସମୟରେ କ୍ରେନ ଓ ସ୍ଲାବ ଖସିବାରୁ ଦୁର୍ଘଟଣା ଘଟି ଚାଲିଯାଇଛି ୧୭ ନୀରିହ ଜୀବନ । ଏହା ସହ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ବହୁ ଶ୍ରମିକ ସ୍ଲାବ ତଳେ ଚାପି ହୋଇ ରହିଛନ୍ତି । ବିଳମ୍ବିତ ରାତିରେ ଏଭଳି ଅଘଟଣ ମହାରାଷ୍ଟ୍ର ଶାହାପୁର ନିକଟରେ ଘଟିଛି । ଘଟଣା ସମ୍ପର୍କରେ ତୁରନ୍ତ ଖବର ପାଇ ଦୁଇଟି ଏନଡ଼ିଆରଏଫ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି ।

ବାଲା ସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ସମୃଦ୍ଧି ମହାମାର୍ଗ , ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ୭୦୧ କିଲୋମିଟର ଲମ୍ବା ଏକ୍ସପ୍ରେସୱେର ନିର୍ମାଣବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଏନଡ଼ିଆରଏଫ ଟିମ ସଦସ୍ୟ ପ୍ରାଣପ୍ରଣେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ପୋଲିସ ଓ ବହୁ ଅଧିକାରୀ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି । ନିର୍ମାଣ କାମ ଚାଲିଥିବାବେଳେ ହଠାତ କିପରି ଏ ଅଘଟଣ ଘଟିଥିଲା ତାହାକୁ ବର୍ଣ୍ଣନା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଅକାଳରେ ଆରପାରିକୁ ଚାଲି ଯାଇଛନ୍ତି ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୭ ଶ୍ରମିକ । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।