କଳା ଘୋଡାର ଗାଁ ବାଲେଶ୍ୱର ‘ଗୁଡୁଦା’ । ମାଟି ଘୋଡା ଓ ମାଟି ପାତ୍ର ତିଆରି କରୁଛନ୍ତି କାରିଗର । ହେଲେ ବିକ୍ରି ପାଇଁ ନାହିଁ ବ୍ୟବସ୍ଥା, ପଡୋଶୀ ଜିଲ୍ଲା ଉପରେ କରୁଛନ୍ତି ନିର୍ଭର

75

କନକ ବ୍ୟୁରୋ: ଓଡ଼ିଶାରେ ଅନେକ କଳାକୃତି ଦେଖିବାକୁ ମିଳିଥିବା ବେଳେ ବିରଳ ମାଟିରେ ପ୍ରସ୍ତୁତ କଳା ଘୋଡ଼ା ନିର୍ମାଣ ପାଇଁ ପ୍ରସିଦ୍ଧ ଗୁଡ଼ୁଦ। ଗାଁ। ଯେଉଁଠି ଦେଖିବାକୁ ମିଳିଥାଏ ଘର ଦାଣ୍ଡରେ ମାଟି କଳାର ହ।ଟ । ଏହି ଗାଁର ପ୍ରତେକ୍ ଘର ଦାଣ୍ଡ ରେ ସବୁବେଳେ ଗ୍ରାହକଙ୍କ ଅପେକ୍ଷାରେ ଥାଏ ମାଟିର କେତେ ପ୍ରକାର ର ସାମଗ୍ରୀ ବିଶେଷ କରି କଳା ଘୋଡ଼ା ।

କଳା ଘୋଡାର ଗାଁ ବାଲେଶ୍ୱର ଜିଲ୍ଲା ରେମୁଣାର ଗୁଡୁଦା । ବିଭିନ୍ନ ଦେବୀ ପୀଠରେ ପୂଜା ପାଉଥିବା ମାଟିର କଳା ଘୋଡା ପ୍ରସ୍ତୁତ କରି ନିଆରା ପରିଚୟ ପାଇଛି ଏହି ଗାଁ । କିନ୍ତୁ ଏଥିରେ ପେଟ ପୋଷିବା କଷ୍ଟକର ହୋଇପଡିଛି । ବର୍ତମାନ ସମୟରେ ଷ୍ଟିଲ, ପ୍ଲାଷ୍ଟିକ୍ର ଚାହିଦା ବଢୁଥିବାରୁ ମାଟି ସାମଗ୍ରୀର ଚାହିଦା କମୁଛି । ତଥାପି ପୂଜା ପାଇଁ କଳା ଓ ଲାଲ୍ ଘୋଡାର ଚାହିଦା ରହିଛି । ଘୋଡାର ଦର ୫୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ପର୍ଯ୍ୟନ୍ତ ରହିଛି । କିନ୍ତୁ ଗାଁ ନିକଟ ବଜାରରେ ଭଲ ରୋଜଗାର ହେଉନାହିଁ । ତେଣୁ କାରିଗରଙ୍କୁ ପଡୋଶୀ ଜିଲ୍ଲା ମୟୂରଭଂଜ ଉପରେ ନିର୍ଭର କରିବାକୁ ପଡେ ।

ମାଟିକୁ ଚକଟି ଘୋଡା ତିଆରି କରାଯାଏ । ଘୋଡା ବ୍ୟତୀତ ମାଟି ହାଣ୍ଡି, ମାଟି କଡେଇ, ତାୱା ଓ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ ତିଆରି କରାଯାଏ । ସେସବୁ କୁ ସୁଖାଇବା ପରେ ନିର୍ଦ୍ଧିଷ୍ଟ ତାପମାତ୍ରାରେ ନିଆଁ ଓ ଧୂଆଁର ମିଶ୍ରଣରେ ମାଟି ଘୋଡାର ରଙ୍ଗକୁ କଳା କରାଯାଏ । କେବେଳ କଳା ନୁହେଁ ଲାଲ୍ ଘୋଡା ବି ତିଆରି କରିଥାନ୍ତି ଗୁଡୁଦା ଗ୍ରାମବାସୀ । ଆଉ ରାତି ପାହିଲେ ନିଜର ନିତ୍ୟକର୍ମ ସାରି ମାଟି ଘୋଡା ଓ ପାତ୍ର ତିଆରିରେ ଲାଗିପଡନ୍ତି ପିଲାଙ୍କ ଠାରୁ ବୟସ୍କ ଓ ମହିଳା-ପୁରୁଷ ସମସ୍ତେ । ଅଧିକ ପ୍ରୋତ୍ସାହନ ଓ ତାଲିମ ମିଳିଲେ ଏହି ପାରମ୍ପରିକ କଳା ଅନେକ ଆଗକୁ ଯିବ ବୋଲି କାରିଗର କୁହନ୍ତି ।