ଘରେ ସଢ଼ୁଛି କାରିଗରଙ୍କ ଜିନିଷ: କଟକଣା ଯୋଗୁଁ ବିକ୍ରି ହୋଇପାରିଲାନି ହାତ ତିଆରି ସାମଗ୍ରୀ

97

କନକ ବ୍ୟୁରୋ: କରୋନା ସଂକ୍ରମଣ କଥା କହି ଆଖି ବୁଜା ବନ୍ଦ କରି ଚାଲିଛନ୍ତି ସରକାର । ପର୍ବ ପର୍ବଣୀ ପାଳନ ଉପରେ କଟକଣା ଲଗାଉଛନ୍ତି । ପୂଜା ପୂର୍ବରୁ ଗାଇଡଲାଇନ୍ ଆଣୁଛନ୍ତି । କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ହେବ ନାହିଁ ବୋଲି କହିଦେଲେ, ଡଙ୍ଗା ବିକି ପରିବାର ପୋଷିବାକୁ ଆଶା ରଖିଥିବା ଋତୁକାଳୀନ ବ୍ୟବସାୟୀଙ୍କ ଚିନ୍ତା ବଢାଇ ଦେଲେ ।

କରୋନା କଟକଣା ପାଇଁ ଠପ୍ ହୋଇଗଲା ରୋଜଗାର । କାର୍ତିକ ପୂର୍ଣ୍ଣିମା ସରିଗଲା ହେଲେ ବିକ୍ରି ହୋଇପାରିଲାନି ଡଙ୍ଗା । ସଂକ୍ରମଣ ଆଶଙ୍କା କରି ସରକାର ସମସ୍ତ ପର୍ବ ପର୍ବାଣୀ ଉପରେ କଟକଣା ଜାରି କରିଛନ୍ତି । କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାକୁ ବି ବାରଣ କରିଥିଲେ, ତେଣୁ କାରିଗର ତିଆରି କରିଥିବା ଡଙ୍ଗା ବିକ୍ରି ହୋଇପାରିଲା ନାହିଁ, ତେଣୁ ଲାଭ ଛାଡନ୍ତୁ କାରିଗର ବିନିଯୋଗ କରିଥିବା ଟଙ୍କା ମଧ୍ୟ ମିଳିଲା ନାହିଁ ।

କାର୍ତିକ ପୂର୍ଣ୍ଣିମାକୁ ଆଖିରେ ରଖି ଲକ୍ଷାଧିକ ଟଙ୍କା ଖର୍ଟ କରି ଡ଼ଙ୍ଗା ତିଆରି କରିଥିଲେ ଖୋର୍ଦ୍ଧା ପିଚୁକୁଳି ଅଂଚଳର କାରିଗର । ଡଙ୍ଗାର ଦର ୫ଟଙ୍କାରୁ ଆରମ୍ଭ କରି ୧ ହଜାର ପର୍ଯ୍ୟନ୍ତ ରହିଥିଲା । ଆଶା କରିଥିଲେ ଚଳିତବର୍ଷ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାରୁ ଡଙ୍ଗା ବିକ୍ରି ହେବ, ଭଲ ଦି-ପଇସା ରୋଜଗାର ହେବ । ହେଲେ ନଦୀଘାଟରେ ଡଙ୍ଗା ଭସା ଉପରେ ସରକାର କଟକଣା ଲଗାଇ ଦେବାରୁ ଗ୍ରାହକ ଡଙ୍ଗା କିଣିଲେ ନାହିଁ ତେଣୁ, କାରିଗରଙ୍କ ଆଶା ଆଶାରେ ରହିଗଲା ।

ଜାହାଜ, ବୋଇତ, କାଠି, ସୋଲର ଛୋଟ ବଡ଼ ଡ଼ଙ୍ଗା ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସହରକୁ ଯୋଗାଇଥାଆନ୍ତି ଖୋର୍ଦ୍ଧା ପିଚୁକୁଳି ଅଂଚଳର କାରିଗର । ତେଣୁ ଭଳିକି ଭଳି ଡ଼ିଜାଇନର ଡ଼ଙ୍ଗା ପ୍ରସ୍ତୁତ କରିଥିଲେ । ଏଥିରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିନ୍ତି, ଲାଭ ମଧ୍ୟ ପାଇଥାନ୍ତି । ହେଲେ ଏବର୍ଷ ଡଙ୍ଗା ବିକ୍ରି ନହେବାରୁ ଚିନ୍ତାରେ ପଡ଼ିଛନ୍ତି କାରିଗର ।

ବର୍ଷକର ରୋଜଗାର ଆଶାରେ ପିଲାଛୁଆ ମିଶି ଡଙ୍ଗା ତିଆରି କରିଥିଲେ କାରିଗର ପରିବାର । ଦିନରାତି ଏକ କରି ଆକ୍ଲାନ୍ତ ପରିଶ୍ରମ କରିଥିଲେ, ହେଲେ ସରକାରଙ୍କ କଟକଣା ସେମାନଙ୍କ ରୋଜଗାର ବାଟରେ ବନ୍ଧକ ସାଜିଲା ।