କରୋନା କଟକଣା ହଟିବା ପରେ ଜମୁଛି ବେପାର । ଯାଜପୁର ଛତିଆ ହସ୍ତଶିଳ୍ପ ମେଳାରେ ଲାଗୁଛି ଗ୍ରାହକଙ୍କ ଭିଡ । 

92

କନକ ବ୍ୟୁରୋ : କରୋନା କଟକଣା ହଟିବା ପରେ ଜମୁଛି ବେପାର । ଯାଜପୁର ଜିଲ୍ଳା ଛତିଆଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳା । ମେଳାରେ ପାଖାପାଖି ୧୨୫ଟି ଷ୍ଟଲ ଲାଗିଥିବା ବେଳେ ମନଲାଖି ଜିନିଷପତ୍ର କିଣିବା ପାଇଁ ଗ୍ରାହକଙ୍କ ଭିଡ ଜମୁଛି । ମେଳାରେ ସାମିଲ ହେବା ସହ ବ୍ୟବସାୟ ପାଇଁ ଓଡ଼ିଶାର ୧୩ଟି ଜିଲ୍ଲାରୁ ଆସିଛନ୍ତି ବ୍ୟବସାୟୀ ।

ଭଳିକି ଭଳି ହାତତିଆରି ସାମଗ୍ରୀର ପସରା ମେଲାଇ ବସିଛନ୍ତି କାରିଗର । ମହାମାରୀ କରୋନା ଦୀର୍ଘ ଦିନ କାରିଗରଙ୍କ ରୋଜଗାରରେ ବାଧା ସୃଷ୍ଟି କରିଥିଲା । କରୋନା ସଂକ୍ରମଣ କମିବାରୁ ସରକାର ମେଳା, ସଭା, ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ବୁଲି ବୁଲି ଏଭଳି ସାମଗ୍ରୀର ବେପାର କରୁଥିବା କାରିଗରଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି । ହାତ ତିଆରି ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପଥର, କାଠ, କାଇଁଚ, ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ମେଳାରେ ବିକ୍ରି ହେଉଛି । ରାଜ୍ୟର ୧୦ରୁ ଅଧିକ ଜିଲ୍ଳାର କାରିଗର ସେମାନଙ୍କର ହାତ ତିଆରି ସାମଗ୍ରୀ ବିକି କିଛି ରୋଜଗାରର ଆଶା ରଖିଛନ୍ତି ।

ପ୍ଲାଷ୍ଟିକର ତିଆରି ସାମଗ୍ରୀ ଅପେକ୍ଷା ହସ୍ତଶିଳ୍ପ ସାମଗ୍ରୀ ପ୍ରତି ଧିରେ ଧିରେ ଲୋକ ଆକୃଷ୍ଟ ହେଉଛନ୍ତି । ଦିନକୁ ଦିନ ହଜି ଯାଉଥିବା ହାତତିଆରି ସାମଗ୍ରୀର ଚାହିଦା ବଢୁଛି । ଯାଜପୁର ଛତିଆର ଏହି ହସ୍ତଶିଳ୍ପ ମେଳାରେ ବିଭିନ୍ନ ପ୍ରକାର ସାମଗ୍ରୀର ୧୨୫ଟି ଷ୍ଟଲ ପଡିଛି । ଲୋକମାନେ ବୁଲି ବୁଲି ସେମାନଙ୍କର ପସନ୍ଦର ଜିନିଷ କିଣୁଛନ୍ତି । ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ମନୋରଞ୍ଜନ ପାଇଁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକମ ମଧ୍ୟ ଅନୁଷ୍ଠିତ ହେଉଛି ।

ଛତିଆ ରାଜଦୋଳ ମେଲଣ କମିଟି ଆନୁକୂଲ୍ୟରେ ରାଜ୍ୟ ହସ୍ତଶିଳ୍ପ ବିଭାଗର ମିଳିତ ସହଯୋଗରେ ଏହି ମେଳାର ଆୟୋଜନ କରାଯାଇଛି । ଏହାକୁ ରାଜ୍ୟ ସ୍ୱାଧିନତା ସଂଗ୍ରାମୀ ସଂଘର ସଭାପତି ନୀଳମଣୀ ସାମଲ ଉଦଘାଟନ କରିଛନ୍ତି । ହସ୍ତଶିଳ୍ପ ସାମଗ୍ରୀ ପ୍ରତି ଲୋକ ଆକର୍ଷିତ ହେଉଥିବା ବେଳେ ଆମର ଚଳଣୀ ସହିତ ବ୍ୟବହୃତ ସାମଗ୍ରୀର ଚାହିଦା ବଢୁଛି । ଏ କ୍ଷେତ୍ରରେ କିପରି ବିକାଶ ହୋଇପାରିବ ସରକାର ସେଥିପ୍ରତି ଗୁରୁତ୍ୱ ଦେଲେ କାରିଗର ନିଜର ବୃତି ଫେରିପାଇବା ସହ ଅଧିକ ରୋଜଗାରକ୍ଷମ ହୋଇପାରନ୍ତା ।