କ୍ରାଫ୍ଟ ଭିଲେଜ କାର୍ଯ୍ୟକ୍ଷମ ହେବ, ପିପିଲି ଚାନ୍ଦୁଆ ବ୍ୟବସାୟ ବଢିବ । କ୍ରାଫ୍ଟ ଭିଲେଜ ଖୋଲିବା ନେଇ ତତ୍ପରତା ଦେଖାଇଲା ପୁରୀ ପ୍ରଶାସନ ।

143

କନକ ବ୍ୟୁରୋ : କ୍ରାଫ୍ଟ ଭିଲେଜରେ ବିକ୍ରି ହେବ ପିପିଲି ଚାନ୍ଦୁଆ । ବେଶ କିଛି ବର୍ଷ ତଳୁ ନର୍ମାଣ ହୋଇଥିଲେ ବି କାରିଗରଙ୍କ କାମରେ ଆସୁନଥିବା କ୍ରାଫ୍ଟ ଭିଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡିଛି ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ଓରକଳା ସ୍ଥିତ କ୍ରାଫ୍ଟ ଭିଲେଜ ପରିଦର୍ଶନ କରିବା ପରେ ଚାନ୍ଦୁଆ ବ୍ୟବସାୟ ବଢିବା ନେଇ ଆଶା ରଖିଛନ୍ତି କାରିଗର ଓ ବ୍ୟବସାୟୀ ।

ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିବା କ୍ରାଫ୍ଟ ଭିଲେଜ ପୁଣି କାର୍ଯ୍ୟକ୍ଷମ ହେବ । ମାନ୍ଦା ପଡିଥିବା ପିପିଲି ଚାନ୍ଦୁଆର ଭଲ ବ୍ୟବସାୟ ହେବ । ୮ କୋଟି ବ୍ୟୟରେ ପିପିଲିର ଓରକଳ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କ୍ରାଫ୍ଟ ଭିଲେଜ ଖୋଲିବା ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କ୍ରାଫ୍ଟ ଭିଲେଜ ବୁଲି ଦେଖିଛନ୍ତି । ଏହାସହ ଖୁବଶୀଘ୍ର କ୍ଲଷ୍ଟରକୁ କାରିଗରଙ୍କୁ ଯୋଗାଇ ଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନର ସଜବାଜ ଦେଖି ବ୍ୟବସାୟୀ ଭଲ ରୋଜଗାରକୁ ନେଇ ବେଶ ଆଶାବାଦୀ ଅଛନ୍ତି ।

ପିପିଲି ବାଇପାସ ହେବା ପରେ ପିପିଲି ବଜାର ଦେଇ ବସ ଚଳାଚଳ କରୁନାହିଁ । ଫଳରେ ପର୍ଯ୍ୟଟକମାନେ ପିପିଲି ଚାନ୍ଦୁଆ କିଣି ପାରୁନାହାନ୍ତି । ଯାହା ଅଳ୍ପ ଅଳ୍ପ ବେପାର ବଟା ଚାଲିଥିଲା, ତାକୁ ସଂପୂର୍ଣ୍ଣ ବନ୍ଦ କରିଦେଲା ମହାମାରୀ କରୋନା । କାରିଗର ଓ ବ୍ୟବସାୟୀ ବର୍ତ୍ତମାନ ଦୁର୍ଦ୍ଦିନରେ ଗତି କରୁଥିବା ବେଳେ କ୍ରାଫ୍ଟ ଭିଲେଜ ଚାନ୍ଦୁଆ ଶିଳ୍ପର ବିକାଶ କ୍ଷେତ୍ରରେ ସହାୟକ ହେବ, କାରିଗରଙ୍କୁ କାମ ମିଳିବ । କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା କ୍ରାଫ୍ଟ ଭିଲେଜ କାର୍ଯ୍ୟକ୍ଷମ ହେଲେ ଚାନ୍ଦୁଆ ବ୍ୟବସାୟ ବଢିବ । ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ର କୋଣାର୍କକୁ ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ପିପିଲି ଚାନ୍ଦୁଆ କିଣି ପାରିବେ ।