ବିଶ୍ୱ ଐତିହ ପ୍ରତି ନାହିଁ ସରକାରଙ୍କ ଦୃଷ୍ଟି ! କୋଣାର୍କ ମନ୍ଦିର ମୁଖଶାଳା ମୂଳରୁ ଚୂଳ ଯାଏଁ ଫାଟ ।

Advertisment
ବିଶ୍ୱ ଐତିହ ପ୍ରତି ନାହିଁ ସରକାରଙ୍କ ଦୃଷ୍ଟି ! କୋଣାର୍କ ମନ୍ଦିର ମୁଖଶାଳା ମୂଳରୁ ଚୂଳ ଯାଏଁ ଫାଟ ।

image courtesy - www.iskconbangalore.org

ଏଏସଆଇର ବେପରୁଆ ମନୋଭାବ ଯୋଗୁ ଓଡ଼ିଶାର ଅମଳିନ କୀର୍ତିରାଜି ସୂର୍ଯ୍ୟ ମନ୍ଦିର (ବ୍ଳାକ୍ ପାଗୋଡ଼ା) ଆଉ କିଛି ବର୍ଷ ଭିତରେ ଅସ୍ତିତ୍ବ ହରାଇବାର ଆଶଙ୍କା ଦେଖାଦେଇଛି । ରକ୍ଷଣାବେକ୍ଷଣରେ ଚରମ ଅବହେଳା ଯୋଗୁ ମନ୍ଦିରର ମୁଖଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ବିଭିନ୍ନ କାରଣକୁ ନେଇ ଏହାର ଅବକ୍ଷୟ ଆରମ୍ଭ ହେବାରୁ ଆଜିକୁ ୧୧୪ ବର୍ଷ ତଳେ ୧୯୦୩ ମସିହାରେ ବ୍ରିଟିସ୍ ପ୍ରତ୍ନତତ୍ତ୍ୱବିତମାନେ ମନ୍ଦିରର ଜଗମୋହନରେ ବାଲି ଭର୍ତ୍ତି କରିଥିଲେ । ଯାହାକି ଏବେ ଦବୁଥିବା ଜଣାପଡ଼ିଛି । ବାଲି ଦବିବା କାରଣରୁ ମନ୍ଦିରର ଜଗମୋହନ ଚୂଡ଼ାରୁ ମୂଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖାଗଲାଣି ।

publive-imageଯାହାକୁ ନେଇ ୨୦୧୦ ମସିହା ମାର୍ଚ୍ଚ ମାସରେ ବିଶ୍ବର ବିଭିନ୍ନ ଦେଶର ୫୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ଦୁଇଦିନିଆ ଗୁରୁତ୍ବପୂର୍ଣ୍ଣ ବୈଠକ କୋଣାର୍କରେ ଅନୁଷ୍ଠିତ ହୋଇଥିଲା। ବିଶେଷଜ୍ଞମାନେ ଜଗମୋହନର ଚୂଡ଼ାକୁ ଯାଇ ମନ୍ଦିରର ସ୍ଥିତି ପରଖିଥିଲେ। ମନ୍ଦିରକୁ ସୁରକ୍ଷିତ ରଖିବା ଲାଗି ତୁରନ୍ତ ପ୍ରତିକାର ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି କମିଟି ମତ ଦେଇଥିଲା। ଏହି ବୈଠକକୁ ଇତିମଧ୍ୟରେ ୮ ବର୍ଷ ବିତିଛି। ଆଠବର୍ଷ ମଧ୍ୟରେ ହୋଇଥିବା ଏକାଧିକ ଷ୍ଟିଅରିଂ କମିଟି ବୈଠକର ରିପୋର୍ଟ ଏଏସଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସୀମିତ ରଖାଯାଇଥିବା ବେଳେ ଏହାକୁ ସାର୍ବଜନୀନ କରାଯାଇନାହିଁ । ଏପରିକି ରାଜ୍ୟ ସରକାର ମଧ୍ୟ ଅଦ୍ୟାବଧି ବିଶେଷଜ୍ଞ କମିଟି କିମ୍ବା ଷ୍ଟିଅରିଂ କମିଟିର ରିପୋର୍ଟକୁ ମଗାଇ ମନ୍ଦିରର ସୁରକ୍ଷା ଦିଗରେ କୌଣସି ପ୍ରତିକାର ବ୍ୟବସ୍ଥା କରିନାହାନ୍ତି ।

publive-imageବିଶେଷଜ୍ଞ କମିଟିର ସୁପାରିସ ଅନୁଯାୟୀ, ମନ୍ଦିରର ଏଣ୍ତୋସ୍କୋପିକ୍ ସ୍କାନି˚ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା । ପରବର୍ତୀ ସମୟରେ ୨୦୧୪ ମସିହାରେ କେନ୍ଦ୍ରୀୟ ବିଲଡ଼ି˚ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ) ଦ୍ବାରା ମନ୍ଦିରର ସ୍ଥିତି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜଗମୋହନ ଭିତର ସ୍ଥିତି ଅନୁଧ୍ୟାନ  ପାଇଁ ସିବିଆରଆଇ ଦ୍ବାରା ଉଚ୍ଚ କ୍ଷମତାସଂପନ୍ନ କ୍ୟାମେରା ଓ ଲେଜର୍ ସ୍କାନି˚ କରାଯାଇଥିବା ବେଳେ ଏହାର ରିପୋର୍ଟ ୨୦୧୬ ଡ଼ିସେମ୍ବର ୧୭ ତାରିଖରେ ଦାଖଲ ହୋଇଥିଲା । ତେବେ ଏହି ରିପୋର୍ଟ ଭାଇରାଲ୍ ହେବା ପରେ ନିଦ ହଜିଯିବା ଭଳି କିଛି ନିଚ୍ଛକ ସତ୍ୟ ପଦାକୁ ଆସିଥିଲା । ମନ୍ଦିର ଜଗମୋହନ ଭିତର ବାଲି ଫୁଟେ କି ଦୁଇ ଫୁଟ ନୁହେଁ, ୧୫ ଫୁଟରୁ ଅଧିକ ଦବିଥିବାର ଜଣାପଡ଼ିଥିଲା । ବାଲି ଦବୁଥିବା ବେଳେ ମନ୍ଦିର ଭିତର ପଟରେ ଦିଆଯାଇଥିବା ଲୁହା ବିମ୍ ମଧ୍ୟ ଖସି ପଡ଼ିଥିବା ଦେଖା ଯାଇଥିଲା । ଖାଲି ସେତିକି ନୁହେଁ, ବାଲି ଦବିବା ଫଳରେ ଭିତର ପଟରୁ ଅନେକ ପଥର ଏବେ ବି ଝୁଲି ରହିଥିବା ଭିଡ଼ିଓ ଚିତ୍ରରେ ଦେଖିବାକୁ ମିଳେ । ଏହି ରିପୋର୍ଟ ପାଇବା ପରେ ବିଶେଷଜ୍ଞ କମିଟି ମନ୍ଦିର ଚୂଡ଼ାରେ ହୋଇଥିବା ଫାଟ ମରାମତି ସହିତ ଭିତରେ ଝୁଲି ରହିଥିବା ପଥରଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି କଳଙ୍କିବିହୀନ ଷ୍ଟିଲ୍ ଫ୍ରେମ୍ ବ୍ୟବହାର କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହାଛଡ଼ା ମନ୍ଦିର ମଧ୍ୟରେ ୧୧୪ ବର୍ଷ ଧରି ରହିଥିବା ବାଲି ସବୁକୁ ହଟାଇବା ଲାଗି ମଧ୍ୟ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଥିଲେ ।

ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ଏହା ମଧ୍ୟରେ ଦୁଇବର୍ଷ ବିତିଥିଲେ ମଧ୍ୟ ବିଶେଷଜ୍ଞଙ୍କ ପ୍ରସ୍ତାବ କାଣିଚାଏ ବି କାର୍ଯ୍ୟକାରୀ କରାଯାଇନାହିଁ । ଏବେ ଅସରାଏ ବର୍ଷାରେ ମନ୍ଦିର ମଧ୍ୟରେ ଜମି ରହୁଥିବା ବର୍ଷାପାଣି ମନ୍ଦିରର ମୂଳଦୁଆରେ ପ୍ରବେଶ କରି ଏହାକୁ ଦୁର୍ବଳ କରିବାରେ ଲାଗିଛି । ମନ୍ଦିରରୁ ପ୍ରତ୍ୟେକ ଦିନ ପ୍ରବେଶ ଶୁଳ୍କ ବାବଦରେ ଆଦାୟ ହେଉଥିବା ଅର୍ଥ ରାଶି ରକ୍ଷଣାବେକ୍ଷଣ ଓ ସ˚ରକ୍ଷଣ କାର‌୍ୟ୍ୟରେ ବିନିଯୋଗ ହେଉନଥିବା ଅଭିଯୋଗ ଉଠିଛି। ସଂପ୍ରତି ପ୍ରତିକୂଳ ଅବସ୍ଥାରେ ରହିଥିବା ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ କୋଣାର୍କ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe