ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା ପରେ କଟକଣା । ପିପିଲି ଓ ଦାଣ୍ଡମୁକୁନ୍ଦପୁରରେ ଶୀତଳଷଷ୍ଠୀ ପାଇଁ ବାଣକୁ ବାରଣ ।  

138

କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା ପରେ ପିପିଲିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ପିପିଲି ବାଗେଶ୍ୱରପୁର ଗାଁରେ ଶିତଳଷଷ୍ଠୀ ଅବସରରେ କାଠ ଚକ୍ର ବାଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସେହିପରି ଦାଣ୍ଡମୁକୁନ୍ଦପୁର ଗାଁରେ ଚମ୍ପକ ଦ୍ୱାଦଶୀ ଅବସରରେ ବାଣଫୁଟାଇବାର ପରମ୍ପରା ରହିଥିଲା । ହେଲେ ପୁରୀ ଘଟଣା ପରେ ପିପିଲି ପୋଲିସ ଏହି ବାଣ ଫୁଟାଇବା ଉପରେ କଟକଣା ଜାରି କରିଛି । ଲୋକଙ୍କୁ ମଧ୍ୟ ବାଣନଫୁଟାଇବାକୁ କଡ଼ା ଚେତାବନୀ ଦେଇଛି ।

କାଠଚକ୍ର ବାଣ ଯାତ୍ରା ପାଇଁ ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହେଲେ ପୋଲିସ ସେସବୁକୁ ବନ୍ଦ କରିଦେଇଛି । ଉଭୟ ଗାଁ କମିଟି ସହ ପିପିଲି ପୋଲିସ ଆଲୋଚନା କରିଛି । ଏହି ପର୍ବ ପାଳନ ବେଳେ ବାଣନଫୁଟାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଗାଁ କମିଟି । ଏହା ସହ ଠାକୁରଙ୍କ ଶୋଭାଯାତ୍ରାରେ ମଧ୍ୟ ବାଣଫୁଟାଯାଇପାରିବ ନାହିଁ ବୋଲି କୁହାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।