କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପଂଙ୍ଗାରସିଂହ ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ବେଳେ ପ୍ରବଳ ବିସ୍ଫୋରଣ ହୋଇଛି । ଏଥିରେ ୩ଜଣ ମହିଳାଙ୍କ ସମେତ ମୋଟ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।
ମିଳିଥିବା ସୂଚନାନୁସାରେ ଆଗକୁ ଦୋଳଯାତ୍ରା ଥିବାରୁ ଏବେ ଗାଁ ଗାଁରେ ବାଣ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ସଂଧ୍ୟାରେ ପଙ୍ଗାରସିଂହ ଗ୍ରାମର ଶେକ ସୋରାବ ଖାଁଙ୍କ ଘରେ ଦୋଳଯାତ୍ରା ପାଇଁ ବେଆଇନ ଭାବେ ଗଛବାଣ, ତୋପ,ଛୋଟ ବମ ତିଆରି ଚାଲୁଥିବା ବେଳେ ଅଚାନକ ବିସ୍ପୋରଣ ଘଟିଥିଲା । ବିସ୍ପୋରଣ ଏତେ ତୀବ୍ରଥିଲା ଯେ ତାଙ୍କ ୨ବଖରା ଘରର ଆଜବେଷ୍ଟସ ଉଡିଯିବା ସହିତ ୪ଜଣ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏଥିରେ ସୁକୁଟା ବିବି, ରୁକୁସାନ ବିବି, ଫାତୁଲାନା ବିବି ଏବଂ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା,ଏସଡିପିଓ ସୁଶିଲ ମିଶ୍ର ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଥାଉକି ପୂର୍ବରୁଗତ ଦୀପାବଳି ସମୟରେ ଶେକ ସୋରାବ ଖାଁ ବେଆଇନ ଭାବେ ବାଣ ତିଆରି କରିବା ଘଟଣାରେ ଜେଲଯାଇଥିଲେ । ବିବାହ, ବ୍ରତ ହେଉ ଅବା ଯାନି ଯାତ୍ରା ସବୁଠି ବାଣର ଚାହିଦା ରହିଛି । ଏହି ବାଣର ଆବଶ୍ୟକତାକୁ ନେଇ କେତେକ ଅସାଧୁ ବ୍ୟକ୍ତିମାନେ ବେଆଇନ ଭାବେ ବାଣ ତିଆରି କରି ବେଗୁନିଆ ବ୍ଲକ ଅଂଚଳ ସହିତ ଜଟଣୀ,କଳାପଥର,ଖୋର୍ଦ୍ଧା ଆଦି ଅଂଚଳକୁ ବାଣ ପଠାଇ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଉଛନ୍ତି । ବେଗୁନିଆ ବ୍ଲକ ଅଂଚଳର ପଙ୍ଗାରସିଂହ,ଲେଖନପୁର ,କଣ୍ଟାବାଡ, ସିକୋ ଆଦି ଗ୍ରାମରେ ବେଆଇନ ଭାବେ ବାଣ ତିଆରି କାରଖାନା ଚାଲୁଛି । ପୂର୍ବରୁ ବାଣ ତିଆରି ବେଳେ ଅଘଟଣ ଘଟି ସିକୋରେ ୬ଜଣ,ଲେଖନପୁରରେ ଜଣେ, ପଙ୍ଗାରସିଂହରେ ଜଣେ ମୃତାହତ ହୋଇଥିବା ବେଳେ ବିଗତ ବର୍ଷ କଣ୍ଟାବାଡରେ ବାଣ ବିସ୍ପୋରଣ ଘଟି ଛାତଘର ଭାଙ୍ଗି ପଡିଥିଲା ।
ଏହି ଅଂଚଳରେ ବାଣ ତିଆରି କାରଖାନା ବର୍ଷତମାମ ଚାଲୁଥିବା ବେଳେ ବାଘମାରୀ ଏବଂ ବେଗୁନିଆ ପୁଲିସ ଦୁର୍ଘଟଣା ଘଟିଲେ ଚଳଚଂଚଳ ହୋଇଥାଏ ବୋଲି ସାଧାରଣରେ ଆଲୋଚନା ହେଉଛି । ବାଣ ତିଆରିକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ଅଭିଯୋଗ ହେଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାର ଦୁର କଥା ବଂର ପୁଲିସ ସବୁ ଜାଣି ନଜାଣିବାର ଅଭିନୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।