ରାଜ୍ୟରେ ଫୁଟିବନି ବାଣ, କିନ୍ତୁ ଗଞ୍ଜାମରୁ ଜବତ ହେଲାଣି ୫୦ ଲକ୍ଷ ଟଙ୍କାର ବାଣ ଓ ବାରୁଦ । ୩ ଜଣଙ୍କୁ ଗିରଫ କଲା ପୋଲିସ ।

251

କନକ ବ୍ୟୁରୋ : ଜବତ ହେଲା ୫୦ ଲକ୍ଷ ଟଙ୍କାର ବାଣ ଓ ବାରୁଦ । ଚଳିତ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଲଗାଇଥିବା ବେଳେ ଗଂଜାମ ନଳବଣ୍ଟା ଗାଁରେ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ ହୋଇଛି। ବାଣ ଜବତ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୧୨ ଜଣ ଫେରାର ହୋଇଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କଂପାନୀ ବାଣ ଓ ସେଠାରେ ପ୍ରସ୍ତୁତି କରାଯାଇଥିବା ବାଣକୁ ଜବତ କରିଥିଲା। ଏହା ସହିତ ବାଣ ପ୍ରସ୍ତୁତି ସରଂଜାମ ଓ ବାରୁଦ ମଧ୍ୟ ଜବତ ହୋଇଥିଲା। ଜବତ ବାଣକୁ ଆଠଟି ମିନିଟ୍ରକରେ ଆଣି ଥାନା ପରିସରରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ନଳବଣ୍ଟା ଗାଁରେ ବର୍ଷ ବର୍ଷ ଧରି ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଏକ କୁଟୀର ଶିଳ୍ପ ପାଲଟିଥିବା ବେଳେ ଗତ ବର୍ଷ ମଧ୍ୟ ଚଢ଼ାଉ କରାଯାଇ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବାଣ ଜବତ ହୋଇଛି।

ନଳବଣ୍ଟାରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି କାରଣରୁ ବାଣ ବ୍ୟବସାୟୀଙ୍କ ସହିତ ସେଠାରେ କାମ କରୁଥିବା ଶ୍ରମିକ ଓ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏଠାରେ ଅନେକ ଥର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଛି। ତଥାପି ମଧ୍ୟ ଏହି ଗାଁରେ ବେଆଇନ ବାଣ ପ୍ରସ୍ତୁତି ଆଜି ସୁଦ୍ଧା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇପାରି ନାହିଁ। ଲୁଚାଛୁପାରେ ବାହାର ଅଂଚଳରୁ ଟନ୍‌ ଟନ୍‌ ବାରୁଦ ଆଣି ସେଥିରୁ ଭିନ୍ନ ପ୍ରକାର ବାଣ ପ୍ରସ୍ତୁତି କରି ଟ୍ରକ, ବସ୍‌, ମିନିଟ୍ରକ ସାହାଯ୍ୟରେ ରାତିଅଧିଆ ସେଗୁଡ଼ିକୁ ଗଂଜାମ ଜିଲ୍ଲା, ଜିଲ୍ଲା ବାହରେ ଓ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଉଛି।