ମୃତ୍ୟୁର ଛାତିଥରା ଘଟଣା ! ହଠାତ୍ ଫୁଟିଲା ବାଣ, ଆଉ ଚାହୁଁ ଚାହୁଁ ଚାଲିଗଲା ୨ଟି ଜୀବନ ।

123

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଯାଇଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁଇ ଜଣଙ୍କ ଶରୀର ଘଟଣାସ୍ଥଳରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ବନମାଳୀପୁରରେ ଘଟିଛି ଅଘଟଣ । ଗୁରୁତର ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ମୃତକ ୨ଜଣ ହେଲେ ସ୍ୱାମୀ ଜ୍ଞାନେନ୍ଦ୍ର ମିଶ୍ର ଏବଂ ସ୍ତ୍ରୀ  ଲକ୍ଷ୍ମୀପ୍ରୀୟା ମିଶ୍ର । ଆଉ କେତେଜଣଙ୍କୁ ଗୁରୁତର ଅବସ୍ଥାରେ ଅଠାନ୍ତର ମେଡିକାଲରେ ଭର୍ତି କରାଯାଇଛି । ତେବେ ଘଟଣାଟି ଥିଲା କିଛି ଏପରି ।

ହଠାତ ଶୁଭିଲା ବିସ୍ଫୋରଣ ଶବ୍ଦ । କଣ ଫୁଟିଲା, କେଉଁଠି ଫୁଟିଲା, କେମିତି ଫୁଟିଲା ? ଏକଥା ଭାବୁ ଭାବୁ ଛାରଖାର ହୋଇଯାଇଥିଲା ସବୁକିଛି । ବିସ୍ଫୋରଣ ପରର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରର ଛାତ ଉଡିଯାଇଛି । ଖାଲି ସେତିକି ନୁହେଁ ପଡିଶା ଘରର କାନ୍ଥ ଫାଟି ଆଁ କରିଛି । ପ୍ରାଣ ହରାଇଥିବା ସ୍ୱାମୀ ସ୍ତ୍ରୀଙ୍କ ଶରୀର ଛିନଛତ୍ର ହୋଇ ପଡିଛି ଏଣେ ତେଣେ ।

ବନମାଳୀପୁରର ଏହି ଘରେ ଜ୍ଞାନେନ୍ଦ୍ର  ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଏକାଠି ବସି ବାଣ ଭିଡୁଥିଲେ । ହଠାତ ବାଣ ଭିଡିବା ସମୟରେ ହୋଇଥିଲା ବିସ୍ଫୋରଣ । ଚାହୁଁ ଚାହୁଁ ଚାଲିଗଲା ଦୁଇ ଦୁଇଟି ଜୀବନ । ଶରୀରର ବିଭିନ୍ନ ଅଂଶ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ବିସ୍ଫୋରଣ ପରେ ପାଖରେ ଥିବା ବାରୁଦ ଏବଂ ଅନ୍ୟାନ୍ୟ ବାଣ ଫୁଟି ସୃଷ୍ଟି ହୋଇଥିଲା ଅତି ଭୟଙ୍କର ସ୍ଥିତି । ଆଖପାଖ ଲୋକେ ମଧ୍ୟ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ

ବାଣ ବିସ୍ଫୋରଣ ଅଘଟଣ ପରେ ଗାଁ ଲୋକଙ୍କ ଭିତରେ ଛନକା ପଶିଯାଇଛି । ବିସ୍ଫୋରଣ ସମୟରେ ଗାଁରୁ ବାହାରେ ଥିବା ଲୋକେ ନିଜ ପରିଜନଙ୍କ ସୁରକ୍ଷା ନେଇ ଆତଙ୍କିତ ହୋଇପଡିଥିଲେ । ସେମାନେ ସୁରକ୍ଷିତ ଅଛନ୍ତି କି ନାହାନ୍ତି, ସେ ଚିନ୍ତା ଘାରିଲା । ଏହି ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବା ବେଳେ ପାଖ ପଡୋଶୀ ଅଳ୍ପକେ ବର୍ତିଯାଇଛନ୍ତି । ତେବେ ଏହି ଗାଁରେ ପୂର୍ବରୁ ମଧ୍ୟ ବାଣ ଭିଡିବା ସମୟରେ ଅଘଟଣ ଘଟିଛି । ତେଣୁ ପୋଲିସ ଅଧିକ ସତର୍କ ହୋଇଥିଲେ ଏପରି ଘଟଣାକୁ ଏଡାଇ ଦିଆଯାଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଘଟଣା ସ୍ଥଳରେ ପୋଲିସ ପହଂଚି ବିସ୍ଫୋରଣ ପଛର ରହସ୍ୟ ଖୋଜିବାକୁ ଚେଷ୍ଟା କରିଛି । କିଛି ଗୁରୁତର ଆହତଙ୍କୁ ଅଠାନ୍ତର ହସ୍ପିଟାଲରେ ଭର୍ତି କରାଯାଇଛି । ବିସ୍ଫୋରଣ ପରେ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲା ।