ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର

145

କନକ ବ୍ୟୁରୋ: ଏହା କେବଳ ଏକ ସରକାରୀ ବିଜ୍ଞପ୍ତି ନୁହେଁ । ହକ ପାଇଁ ନ୍ୟାୟ ପାଇଁ ସ୍ୱର ଉଠାଉଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏହା ସରକାରଙ୍କ ନାଲି ଆଖି । ବିଜ୍ଞପ୍ତି ଅନୁସାରେ ଏସମା ଅବଧିକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ୬ ମାସ ଯାଏଁ ସରକାରୀ ସ୍ୱାସ୍ଥ୍ୟ ସେବାରେ ସଂପୃକ୍ତ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ କି ଧାରଣାରେ ବସିପାରିବେ ନାହିଁ । ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା ଲାଗୁ କରାଯାଇଛି । ଏହାସହ ତୃତୀୟ , ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତିକ କର୍ମଚାରୀଙ୍କ ପାଇଁ ବି ଏହା ଲାଗୁ ହେବ । ଅନ୍ୟ ପଟେ ସ୍ୱାସ୍ଥ୍ୟ କର୍ମଚାରୀ କହିଛନ୍ତି ସରକାରଙ୍କ ନିୟମକୁ ମାନିବାକୁ ସେମାନ ବାଧ୍ୟ, ହେଲେ ଆଗକୁ ପୁଣି ଅବଧି ବଢିଲେ ଅଡୁଆ ।

ସେପଟେ ରାଜ୍ୟ ସରକାରଙ୍କ ଏସମା ଅବଧି ବୃଦ୍ଧିକୁ ସମାଲୋଚନା କରିଛନ୍ତି ବିରୋଧୀ । ପିସିସି ସଭାପତି କହିଛନ୍ତି ରାଜ୍ୟ ସରକାର ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଚଳାଇଛନ୍ତି । ଆନ୍ଦୋଳନକୁ ମନା କରିଥିବାରୁ ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡାକି ସରକାର ଆଲୋଚନା କରନ୍ତୁ । ସେପଟେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ସରକାରଙ୍କ ଏତେ ଡର କାହିଁକି ? ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଛନ୍ତି । ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ସରକାର କାହାକୁ ନାଲି ଆଖି ଦେଖାଉ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ଭାବିଚିନ୍ତି ପଦକ୍ଷେପ ନିଆଯାଇଛି ।

ସେପଟେ ରାଜ୍ୟର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି । ଆନ୍ଦୋଳନ ହେଲେ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି ।