କନକ ବ୍ୟୁରୋ : ବିହାରର ଶାସକ ଦଳ ଜନତା ଦଳ (ୟୁନାଇଟେଡ୍)ରେ ସବୁକିଛି ଠିକ୍ ଅଛି ବୋଲି ଏବେ କହିବା ଠିକ୍ ହେବ ନାହିଁ । ଯଦି ଏହା ହୋଇଥାନ୍ତା ତେବେ ଡିସେମ୍ବର ୨୯ରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଡିସେମ୍ବର ୨୫ରେ ପାଟନାରେ ଜେଡିୟୁର ମେଗା ଇଭେଣ୍ଟ୍ ବାତିଲ ହୋଇନଥାନ୍ତା । ଅନ୍ୟପଟେ ଗତକାଲି ଲଲନ ସିଂହ ଜାତୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି । ତେଣୁ ଏବେ ଚର୍ଚ୍ଚା ହେଉଛି ଯେ ନୀତୀଶଙ୍କ ପାର୍ଟିରେ ଆଉ କିଛି ଠିକଠାକ ନାହିଁ । ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ହେଉଛି ଜେଡିୟୁ । କୁହାଯାଉଛି ଦଳର କିଛି ନେତା ଏବେ ବିଜେପି ଆଡକୁ ଢଳିବାକୁ ଚାପ ପକାଉଛନ୍ତି । ଯାହାକୁ ବିରୋଧ କରୁଛନ୍ତି ଲଲନ ସିଂହ । ଏ ବାବଦରେ ସେ ଯେତେବେଳେ ନୀତୀଶଙ୍କୁ ଅବଗତ କରାଇଥିଲେ, ସେ ନିରବ ରହିଥିଲେ । ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଲଲନ ସିଂହ ଇସ୍ତଫା ଦେଇଥିବା କୁହାଯାଉଛି ।
ଅନ୍ୟପଟେ ଜେଡିୟୁ ଭାଙ୍ଗି ଆରଜେଡି ସହ ମିଶ୍ରଣ ହୋଇଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ନେଇ ଚିନ୍ତିତ ଥିବା କୁହାଯାଉଛି । ସେହିପରଣି ଆରଜେଡିର ଶୀର୍ଷ ନେତା ଲାଲୁ ପ୍ରସାଦ ଯାଦବଙ୍କ ସହ ନୀତୀଶଙ୍କ ମନାନ୍ତର ହୋଇଥିବା କୁହାଯାଉଛି । ନୀତୀଶ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ତେଜସ୍ୱୀ ଯାଦବଙ୍କୁ ମେଣ୍ଟର ବର୍ଷକ ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡିବେ ବୋଲି କହିଥିଲେ । ହେଲେ ଏବେ ସେ ପଦ ଛାଡିବାକୁ ରାଜି ହେଉନଥିବା ଚର୍ଚ୍ଚା ହେଉଛି । ତେଣୁ ଏ ନେଇ ଲାଲୁ ଓ ନୀତୀଶଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା କୁହାଯାଉଛି । ତେଣୁ ଇଣ୍ଡିଆ ମେଣ୍ଟର ଆବାହକ ଭାବେ ନୀତୀଶଙ୍କ ନାଁ ଘୋଷଣା ହେବାକୁ ଲାଲୁ କୁଆଡେ ବିରୋଧ କରିଥିବା ଚର୍ଚ୍ଚା ହେଉଛି ।