ନିରାମିଷ ଖାଦ୍ୟରେ କଙ୍କଡା ଗୋଡ: ପଚାରିବାରୁ ରେସ୍ତୋରାଁ କର୍ମଚାରୀ ଗ୍ରାହକଙ୍କୁ ମାଡ ମାରିବା ଅଭିଯୋଗ 

691

କନକ ବ୍ୟୁରୋ: ନିରାମିଷ ଖାଦ୍ୟରେ କଙ୍କଡା ଗୋଡ । ହୋଟେଲରେ ଖାଇବା ସମୟରେ ଅନେକଙ୍କ ସହ ଏମିତି ଘଟିଥିବ । କେତେବେଳେ ସାଧାର ଖାଦ୍ୟରୁ ମାଛ କଂଟା ବାହାରିଥିବ ତ ଆଉ କିଛି ବାହାରିଥିବ । କିନ୍ତୁ ନିରାମିଷ ଖାଦ୍ୟରୁ କଙ୍କଡା ଗୋଡ ବାହାରିବାକୁ ନେଇ ଗ୍ରାହକଙ୍କୁ ରେସ୍ତୋରାଁ କର୍ମଚାରୀ ମାଡ ମାରିବା ଅଭିଯୋଗ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି । ମାମଲା ଥାନାରେ ପହଁଚିଛି । ଗ୍ରାହକ ଅନିମେଷ ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ, ଗତ ୨୯ତାରିଖରେ ସେ ଓ ତାଙ୍କ ପରିବାର, ଏୟାରପୋର୍ଟ ରୋଡରେ ଥିବା ଜିଙ୍ଗିବାର ରୋସ୍ତୋରାଁକୁ ଯାଇଥିଲେ । ତାଙ୍କ ପତ୍ନୀ ଶାକାହାରୀ ହୋଇଥିବାରୁ ସେ ଭେଜ ଫ୍ରାଏଡ ରାଇସ ମଗାଇଥିଲେ । ହେଲେ, ଖାଇବା ସମୟରେ ସେହି ନିରାମିଷ ଫ୍ରାଏଡ ରାଇସରୁ ଏକ କଙ୍କଡା ଗୋଡ ବାହାରିଥିଲା । ଏନେଇ ଅନିମେଶ ରେସ୍ତୋରାଁ ମ୍ୟାନେଜରଙ୍କୁ ଭେଟି ଘଟଣା ସମ୍ପର୍କରେ କହିଥିଲେ । କିନ୍ତୁ ମ୍ୟାନେଜର ତାଙ୍କ କଥା ଶୁଣି ନଥିଲେ । ତାପରେ ସେ ସେଫଙ୍କ ସହ କଥା ହେବାକୁ ଯାଇଥିଲେ । ହେଲେ, ସେଫ ପାଲଟା ଅଭିଯୋଗ ଆଣିଥିଲେ । ଅନିମେଶ ନିଜେ ଖାଇବାରେ କଙ୍କଡା ଗୋଡ ପକାଇଛନ୍ତି ବୋଲି କହିଥିଲେ ।

ଏଥିରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା । ଶେଷରେ ରେସ୍ତୋରାଁ ସେଫ୍ ଓ ଅନ୍ୟ କର୍ମଚାରୀମାନେ ମିଶି ତାଙ୍କୁ ଧକା ମାରିଥିବା ଅଭିଯୋଗ କରିଛନ୍ତି ଅନିମେଶ । ଏପରିକି ତାଙ୍କ ବାପା ଛଡାଇବାକୁ ଯିବାରୁ ତାଙ୍କୁ ମଧ୍ୟ ରେସ୍ତୋରାଁ କର୍ମଚାରୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ସ୍ଥିତି ଗମ୍ଭୀର ହେବାର ଖବର ପାଇ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ହସ୍ତକ୍ଷେପ କରି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା । ଏନେଇ ଅନିମେଶ ଥାନାରେ ଅଭିଯୋଗ କରିଛନ୍ତି । ରେସ୍ତୋରାଁ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜକରି ତଦନ୍ତ ଜାରି ରଖିଛି । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ପୁଲିସ ଫୁଟେଜ୍ ଜବତ କରି ଯାଂଚ କରୁଛି । ତେବେ ପ୍ରାୟ ଗୋଟିଏ ସପ୍ତାହ ପରେ ମଧ୍ୟ ପୁଲିସ କୌଣସି ପକ୍ଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ସୋସିଆଲ ମିଡିଆରେ ଅନିମେଷ ଏନେଇ ପୋଷ୍ଟ କରିବା ପରେ ମାମଲା ଚର୍ଚ୍ଚାର ବିଷୟ ହୋଇଛି ।