ଭୁବନେଶ୍ୱରରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣା ପର୍ଦ୍ଦାଫାଶ ନେଇ ସିପିଙ୍କ ପ୍ରେସମିଟ୍ : କହିଲେ ୟୁଟ୍ୟୁବରୁ ଶିଖିଥିଲା ଲୁଟର ତରିକା, ଋଣ ସୁଝିବାକୁ କରୁଥିଲା ଲୁଟ୍ 

 ଲୁଟର ମାଷ୍ଟରମାଇଣ୍ଡ ସହ ୧୦ ଲକ୍ଷ ଟଙ୍କା ଗାଡି ଓ ବନ୍ଧୁକ ଜବତ 

757

କନକ ବ୍ୟୁରୋ : ଭୁବନେଶ୍ୱର ୨ଟି ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ  ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାରେ ମାଷ୍ଟରମାଇଣ୍ଡ ୨୫ ବର୍ଷିୟ ସୌମ୍ୟ ରଂଜନ ଜେନାଙ୍କୁ ଗିରଫ କରାଯାଇଛି ।

ଏହାସହ ଅଭିଯୁକ୍ତଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ବ୍ୟାଙ୍କ ଋଣ ସୁଝିବା ପାଇଁ ଲୁଟ୍ କରିଥିବା ଜଣାପଡିଛି । ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଁଟ ରହିଛି । ବ୍ୟାଙ୍କ ଲୁଟର ମାଷ୍ଟର ମାଇଣ୍ଡ ସୌମ୍ୟରଂଜନକୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ଗାଡି ଓ ବନ୍ଧୁକ ଜବତ କରିଛି ପୁଲିସ । ତେବେ ଲୁଟ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର ତରିକା ଶିଖିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ସୌମ୍ୟରଂଜନ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲା । ତେବେ ଲକଡାଉନ୍ରେ ବ୍ୟବସାୟ ମାନ୍ଦା ଥିବାରୁ ସେ ଋଣ ସୁଝି ପାରିନଥିଲା । ଲୁଟ୍ ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ଚତୁରତାର ସହ ତଦନ୍ତ କରି ଅପରାଧିକୁ ଗିରଫ କରିଥିବା ପୁଲିସ କମିଶନର କହିଛନ୍ତି ।