୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ? ପୋଲିସ କମିଶନରଙ୍କ କହିଲେ ପୂରା କାହାଣୀ 

Advertisment
କମିଶନରେଟ ପୋଲିସର ଅପରେସନ ‘ସାଇଲେଣ୍ଟ ଭାଇପର’

କନକ ବ୍ୟୁରୋ : ୧୯୯୯ ମସିହାରେ ଘଟିଥିବା ଏକ  ବହୁଚର୍ଚ୍ଚିତ ଗଣଦୁ‌ର୍ଷ୍କମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମା‌ଇଣ୍ତ କୁହାଯାଉଥିବା ବିବନ ବିଶ୍ବାଳଙ୍କୁ ମୁମ୍ବାଇରୁ କମିସନରେଟ ପୁଲିସ ଗିରଫ କରିଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ବାରଙ୍ଗ ଥାନା ଅଞ୍ଚଳ‌ରେ ଘଟିଥିବା ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ପୀଡ଼ିତା ଜଣକ ଏକ ଆମ୍ବାସଡର କାରରେ ନିଜ ବନ୍ଧୁଙ୍କ ସହ ଏକ ଢ଼ା‌ବା‌ରେ ଚା’ ପିଇବା ସମୟରେ ତାଙ୍କୁ  ତିନି ଜଣ ଅଭିଯୁକ୍ତ ସେଠାରେ ଦେଖିଥିଲେ । ପରେ ପୀଡ଼ିତା ତାଙ୍କ କାରରେ ଭୁବନେଶ୍ବର ବାହାରିବା ସମୟରେ ଅଭିଯୁକ୍ତମାନେ ଉକ୍ତ କାରଟିକୁ ଅଟକାଇ ‌ତାଙ୍କ ବନ୍ଧୁଙ୍କୁ ମାଡ଼ମାରି ପୀଡ଼ିତାଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ । ବେଲଗାଛିଆ ମହଲା ପାଖ ଓ ଭାଲୁକା ଜଙ୍ଗଲରେ ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।

ପ୍ରାୟ ତିନି ଚାରି ଘଣ୍ଟା ଧରି ପୀଡ଼ିତାଙ୍କ ସହ ଅପରାଧୀମାନେ ଏହି ଜଘନ୍ୟ କାଣ୍ତ ଘଟଣାଇଥିଲେ । ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ୧୦ ଜାନୁଆରିରେ କଟକ ମହିଳା ଥାନାରେ କେସ ନମ୍ବର ୩ ରୁଜୁ କରାଯାଇଥିଲା । ୧୨ ତାରିଖ ଦିନ ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା । ପ୍ରଥମେ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କୁଟରଟିକୁ ପୁଲିସ ଠାବ କରିଥିଲା । ପରେ ୨୬ ଜାନୁଆରିରେ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ(ପଦିଆ) ଓ ଧୀରେନ୍ଦ୍ର ମହାନ୍ତ(ଟୁନିଆ)ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ୨୬ ଫେବୃଆରିରେ ମାନ୍ୟବର ହାଇକୋର୍ଟ ଘଟଣା‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାୟିତ୍ବ ସିବିଆଇକୁ ଦେଇଥିଲେ ।

୨୨ ବର୍ଷ ପ‌ରେ ଏହି ବହୁଚର୍ଚ୍ଚିତ ମାମଲାର ପୁଣି ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ତିନି ମାସ ପୂର୍ବେ ଏହି ଘଟଣା‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମଟିର ନାମ ‘ସାଇଲେଣ୍ଟ ଭାଇପର ବା ନିରବ ବୋଡ଼ା ସାପ’ ରଖାଯାଇଥିଲା । ପୁଲିସ ସିପି ନିଜେ ଏହି ଅପରେସନର ପରିଚାଳନ କରିଛନ୍ତି । ଏହାସହ ୪ ଜଣ ପୁଲିସ ଅଧିକାରୀ କଟକ ଡ଼ିସିପି ପ୍ରତୀକ ସିଂହ, ଆଡ଼ିସନାଲ ଡ଼ିସିପି ପ୍ରମୋଦ ରଥ, ଇନ୍ସପେକ୍ଟର ସ୍ପେସାଲ ସ୍କ୍ବାଡ଼ ଅଜୟ ଦାଶ, ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ଏହି ଅପରେସନ ବିଷୟରେ ଅବଗତ ରହିଥିଲେ ।

ତଦନ୍ତ ଲାଗି ଗଠିତ ଟିମ୍‌ ଜାଣିବାକୁ ପାଇଥିଲା ଯେ ଉକ୍ତ ମୁଖ୍ୟ ଅଭିଯୁକ୍ତ ଜଣକ ମୁମ୍ବାଇ ପୁଣେ ରାସ୍ତାର ଲୋନାୱାଲାସ୍ଥିତ ଆମ୍ବିୱାଲି ରହୁଥିବାବେଳେ ନିଜର ପରିଚୟ ବଦଳାଇ ନିଜ ନୂଆ ନାମ ଜଳନ୍ଧର ସ୍ବାଇଁ ରଖି କାମ କରିଆସୁଛି ଏବଂ ନିଜ ପ୍ରକୃତ ପରିଚୟ ବା ଗ୍ରାମ ନାମ ନରଣପୁର ରଖିଥିବା ଜଣାପଡ଼ିଥିଲା । ଏହାସହ ଅତି ଚତୁରତର ସହ ଅନ୍ୟମାନଙ୍କ ଜରିଆରେ ନିଜ ପରିବାରର ସହ ସମ୍ପର୍କ ରଖିବା ସହ ଆର୍ଥିକ ସହାୟତା ମଧ୍ୟ କରିଆସୁଥିଲା । ଏହାସହ ପରିବାର ଲୋକେ ମଧ୍ୟ ଉକ୍ତ ବିବନର ଡ଼େଥ୍‌ ସାର୍ଟିଫିକେଟ ହାସଲ ପାଇଁ ବହୁ ବାର ଚେଷ୍ଟା କରିଥିବା ଜଣାପଡ଼ିଛି । ସମସ୍ତ ତଥ୍ୟ ହାସଲ କରିବା ପରେ ଗଠିତ ଚାରି ଜଣିଆ ଟିମ ମୁମ୍ବାଇ ଯାଇ ଉକ୍ତ ବ୍ୟକ୍ତିକୁ ଗିରଫ କରି ଓଡ଼ିଶା ଆଣି ଚିହ୍ନଟ କରିବା‌ ପରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe