ରାଜଧାନୀର ରକ୍ତ ଚରିତ୍ର ଗ୍ୟାଙ୍ଗର ଭାଇରାଲ ଭିଡିଓକୁ ନେଇ ପୁଲିସ କମିସନରଙ୍କ ପ୍ରତିକ୍ରିୟା । କହିଲେ ଧରା ପଡିଛନ୍ତି ଅଭିଯୁକ୍ତ, ଜବତ ହୋଇଛି ବନ୍ଧୁକ

148

କନକ ବ୍ୟୁରୋ: ରାଜଧାନୀ ରାତିରେ ଆତଙ୍କ ଖେଳାଉଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦୀପାବଳିରେ ଯେତେବେଳେ ବାଣ ଫୁଟାଇବା ପାଇଁ କଟକଣା ରହିଛି । କେବଳ ସବୁଜ ବାଣି ଫୁଟାଇବା ପାଇଁ ଅନୁମତି ମିଳିଛି । ଏପରିସ୍ଥଳେ ଏହି ଗ୍ୟାଙ୍ଗର ଯୁବକମାନେ ବନ୍ଧୁକ ଗୁଳି ଫୁଟାଇ ଦୀପାବଳି ମନାଉଥିଲେ ବୋଲି ଅନୁମାନ କରାଯାଉଛି । ତେବେ ଭିଡିଓଟି ଦୀପାବଳି ରାତିରେ ବୋଲି ସ୍ପଷ୍ଟ ହୋଇପାରିନାହିଁ । କୁହାଯାଉଛି, ରାତିରେ ଲୋକେ ବାଣ ଫୁଟାଇ ସାରିବା ପରେ ଏହି ଗ୍ୟାଙ୍ଗ ବାହାରକୁ ବାହାରିଥିଲା । ରାତିରେ ରାସ୍ତା ଉପରେ ବନ୍ଧୁକ ଫୁଟାଇ ମଉଜ କରୁଥିଲେ ରକ୍ତଚରିତ୍ର ଗ୍ୟାଙ୍ଗ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ଲୋକଙ୍କୁ ଭୟଭୀତ କଲାଭଳି ଭିଡିଓ ସବୁ ସାମ୍ନାକୁ ଆସିଛି । ହାତରେ ମାରଣାସ୍ତ୍ର ଧରି ଏହି ଗ୍ୟାଙ୍ଗର ସଦସ୍ୟମାନେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । କୁହାଯାଉଛି ଏହି ଭଳି ଗୁଣ୍ଡା ଗ୍ୟାଙ୍ଗକୁ ସାବାଡ କରିବା ପାଇଁ ସରକାର ଗୁଣ୍ଡା ଓ ଅସାମାଜିକ ନିରୋଧୀ ଆଇନ ଆଣିବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଏହି ଆଇନ୍ରେ ଥିବା କଡା ପ୍ରାବଧାନ ଅପରାଧୀ ଗୋଷ୍ଠୀ ଭିତରେ ଭୟ ସୃଷ୍ଟି କରିବ । ତେବେ ରକ୍ତ ଚରିତ୍ର ଗ୍ୟାଙ୍ଗର ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରତିିକ୍ରିୟା ଦେଇ ପୁଲିସ କମିନସର କହିଛନ୍ତି, ଲୋକେ ସଚେତନ ନହେଲେ ଅସାମାଜିକ ତତ୍ୱର ମୂଳୋତ୍ପାଟନ ଅସମ୍ଭବ । ଅପରାଧ କଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଭାଇରାଲ ଭିଡିଓର ଅଭିଯୁକ୍ତ ଗିରଫ ହୋଇଛି, ବନ୍ଧୁକ ମଧ୍ୟ ଜବତ ହୋଇଛି । ଆଗକୁ ଅପରାଧୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ପୁଲିସ କମିସନର ।