ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା: ଜଣେ ଗିରଫ, ୫ ଜଣଙ୍କ ନାଁରେ ମାମଲା

46

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ନିଲମ୍ବିତ ଇଂଜିନିୟର ବଂଶୀଧର ପ୍ରହରାଜଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପୁଲିସ କମିସନର । ଏମାନଙ୍କ ବିରୋଧରେ ଦଫା ୩୦୪, ୩୩୭, ୩୩୮ ଓ ୩୪ ଲାଗିଛି । ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ୱାଇ.ବି ଖୁରାନିଆ । ନିର୍ମାଣଧିନ ପୋଲ ଭୁଷୁଡିବା ଘଟଣାରେ କମିସନରେଟ ପୁଲିସ ନିଜ ଆଡୁ ମାମଲା ରୁୁଜୁ କରି ତଦନ୍ତ କରୁଛି । ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗର ତଦନ୍ତ କରି ପୁଲିସ, ମୋଟ ୫ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

୨ ନିଲମ୍ବିତ ଇଂଜିନିୟର ଓ ପଣ୍ଡା ଇନଫ୍ରା ପ୍ରୋଜେକ୍ଟର ୩ ଜଣ ନିର୍ଦେଶକଙ୍କ ବିରୋଧରେ ମାମଲା ହୋଇଛି । ପଣ୍ଡା ଇନଫ୍ରାଷ୍ଟ୍ରକଚରର ୩ ଜଣ ନିର୍ଦେଶକ ସୁଜାତା ପଣ୍ଡା, ପ୍ରତାପ ପଣ୍ଡା ଓ ସନ୍ତୋଷ ପଣ୍ଡା ନାଁରେ ମାମଲା ରୁଜୁ କରାଯାଇଛି । ଏହାସହ ଏହି ପ୍ରୋଜେକ୍ଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପଚରାଉଚରା କରାଯିବ ବୋଲି କହିଛନ୍ତି ପୁଲିସ କମିସନର ୱାଇବି ଖୁରାନିଆ । ସେପଟେ ଫରେନସିକ ଟିମର ୩ ଜଣିଆ ସଦସ୍ୟ ଆସି ଯାଂଚ ଆରମ୍ଭ କରିଛନ୍ତି ।

ଅନ୍ୟପଟେ, ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଆଜି ସକାଳୁ ଏହି ତଦନ୍ତ ଆରମ୍ଭ ହୋଇଛି । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ତଦନ୍ତକାରୀ ଦଳକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ତ୍ତ ବିଭାଗ ସଚିବ ନଳିନୀ କାନ୍ତ ପ୍ରଧାନ କହିଛନ୍ତି ।