ବାଲିଯାତ୍ରାରେ ଅସମ୍ଭାଳ ଭିଡ଼: ଗାଡି ପାର୍କିଂକୁ ନେଇ ଗତକାଲି ସୃଷ୍ଟି ହୋଇଥିଲା ଅଚଳାବସ୍ଥା; ୮୦ ହଜାର ଗାଡିର ପାର୍କିଂ ବ୍ୟବସ୍ଥା ଥିଲେ ବି ଠପ୍ ହୋଇଯାଇଥିଲା ଟ୍ରାଫିକ୍

ସହଯୋଗର ହାତ ବଢାଇଥିବା ଅନୁଷ୍ଠାନକୁ ଧନ୍ୟବାଦ ଦେଲା ପୋଲିସ

357

କନକ ବ୍ୟୁରୋ: କଟକ ବାଲିଯାତ୍ରା ଦିନ ବଢିବା ସହିତ ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ହେଲେ ଏଥର ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ଏପରି ଭିଡ଼ ହୋଇଛି ଯେ ଗାଡ଼ି ପାର୍କିଂ ହୋଇଛି ବଡ ସମସ୍ୟା । ଗତକାଲି ରବିବାର ସ୍ଥିତି ଅଧିକ ଜଟିଳ ହୋଇଥିବା ଦେଖିବାକୁ ମିଳିଥିଲା । ପାର୍କିଂ ପାଇଁ ୧୦ଟି ସ୍ଥାନରେ ୮୦ ହଜାର ଗାଡି ରଖିବାର ବ୍ୟବସ୍ଥା ଥିଲେ ବି ରବିବାର ପୁରା ଅଣନିଶ୍ୱାସୀ ହୋଇଯାଇଥିଲା ବାଲିଯାତ୍ରାର ଟ୍ରାଫିକ୍ ବ୍ୟବସ୍ଥା । ଏତିକି ବେଳେ ଆଖପାଖ ଅଂଚଳର ଅନେକ ଅନୁଷ୍ଠାନ ଓ ସ୍କୁଲ ବଢାଇଥିଲେ ସହ ଯୋଗର ହାତ ।

ଗାଡି ପାର୍କିଂ ପାଇଁ କିଛି ଅନୁଷ୍ଠାନ ସେମାନଙ୍କର ଗେଟ୍ ଖୋଲି ଦେଇଥିଲେ । ବାରଙ୍ଗ, ତ୍ରିଶୁଳିଆ, ଆଠଗଡ଼ ରାସ୍ତାରେ ଖାସ୍ କରି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ତେଣୁ ଏନଏଚ୍-୧୬ ରାସ୍ତାରେ ଯିବାକୁ ଆଡଭାଇଜରୀ ଜାରି କରିଥିଲା କମିସନରେଟ୍ ପୋଲିସ । ତେବେ ଆଜି ସୋମବାର ଗତକାଲି ଭଳି ଭିଡ ଦେଖିବାକୁ ମିଳିବନି ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ । ତେବେ ଆଗରୁ ବ୍ୟବସ୍ଥା ଥିବା ୧୦ଟି ପାର୍କିଂ ସ୍ଥାନ ଯଥେଷ୍ଟ ବୋଲି ପୋଲିସ କହିଛି । ଏହା ସହିତ ଗତକାଲି ପାର୍କିଂ ସମସ୍ୟା ବେଳେ ହାତ ବଢାଇଥିବା ଅନୁଷ୍ଠାନକୁ ଧନ୍ୟବାଦ୍ ଦେଇଛନ୍ତି ପୋଲିସ କମିଶନର ।