ସାବଧାନ, ଆପଣଙ୍କ ଗାଡ଼ି ଚାଳନା ଉପରେ ନଜର ରଖିଛି ପୁଲିସ୍ । ବିନା ହେଲମେଟରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ବେଳେ ଯୁବକଙ୍କୁ ଅଟକାଇଲେ ପୁଲିସ୍ କମିଶନର ।

304

କନକ ବ୍ୟୁରୋ : ରାଜଧାନୀରେ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଯୁବକଙ୍କୁ ଧରି ଟ୍ୟୁସନ୍ କଲେ ପୁଲିସ କମିଶନର । ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ଯୁବକ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫୋନରେ ଗପୁଥିଲେ । ଆଉ ସେହି ସମୟରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ଅଟକାଇ ତାଗିଦ କରିଥିଲେ । ଶେଷରେ ଯୁବକ ଜଣଙ୍କ ଭୁଲମାଗିବା ପରେ ତାଙ୍କୁ ଛଡାଯାଇଥିଲା ।

ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ପୋଲିସ କମିଶନର ଏବଂ ଟ୍ରାଫିକ ପୋଲିସ ନିକଟରେ ଛିଡା ହୋଇଥିବା ଏହି ବ୍ୟକ୍ତିଙ୍କର ଭୁଲ ହେଲା ଗାଡି ଚଲାଇବା ସମୟରେ ତାଙ୍କ ମୁଣ୍ଡରେ ହେଲମେଟ୍ ନଥିଲା । ସବୁଠୁ ସାଂଘାତିକ କଥା ଟି ହେଲା, ସେ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିଲେ । ଯେତେବେଳେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଦୃଷ୍ଟିରେ ଏହି ବେପରୁଆ ଗାଡି ଚାଳକ ଜଣଙ୍କ ପଡିଥିଲା, ସଙ୍ଗେ ସଙ୍ଗେ ଯୁବକଙ୍କୁ ଅଟକାଇଥିଲେ । ପିଏସଓ ଫୋନ ଛଡାଇ ନେବା ସହିତ କିଛି ସମୟ ପାଇଁ କଡା ତାଗିଦ କରିଥିଲା ପୋଲିସ ।

ପୋଲିସ କମିଶନର ଏହି ଯୁବକଙ୍କୁ ଏପରି ଭୁଲ ନକରିବା ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ପୋଲିସ ହାତରେ ଧରାପଡିଥିବା ଯୁବକ ଜଣଙ୍କ ଭୁଲ ମାଗିଥିଲେ ଏବଂ କହିଥିଲେ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ । ତା ପରେ ପୋଲିସ ତାଙ୍କୁ ଛାଡିଥିଲା ।