ମଣିଷ ସମାଜରେ ମମତାର ମୂଲ ବୁଝେଇଦେଲା ପଶୁ । ଆହତ ବାଛୁରୀ ପଛରେ ୩ କିଲୋମିଟର ଦୌଡି ଦୌଡି ପଶୁ ଡାକ୍ତରଖାନା ଗଲା ମାଆ ଗାଈ ।

277

କନକ ବ୍ୟୁରୋ: ଆଗେ ଆଗେ ମମତା, ପଛେପଛେ ମାଆ । ଧାଉଁଛି ମଣିଷ ଧାଉଁଛି ମାଆ । ଛୁଆ ଗୁରୁତର ହୋଇଛି ବୋଲି ତା ଚିକିତ୍ସା କରାଇବାକୁ ପଛରେ ଯାଉଛି ମାଆ । ଆଖିକୁ ସିନା ପଶୁଟିଏ ଦେଖାଯାଉଛି ହେଲେ ତା ଭିତରେ ଗୋଟେ ମାଆ ଦିଶୁଛି । ପିଲାଟିର କିଛି ହୋଇଗଲେ ଆମ ମାଆମାନେ ଯେମିତି ବ୍ୟତିବ୍ୟସ୍ତ ହୋଇଯାଆନ୍ତି, ପାଗେଳୀ ପ୍ରାୟ ହୋଇଯାନ୍ତି ଠିକ ସେମିତି ଏ ଗାଈଟି ତା ଛୁଆ ବାଛୁରୀ ପାଇଁ ବ୍ୟସ୍ତ ହୋଇ ଧାଉଁଛି । ପଶୁ ହେଲା ତ କଣ ହେଲା, ମାଆ ସବୁବେଳେ ମାଆ… ଯାହା ମାଲାକାନଗିରିରୁ ଆସିଥିବା ଏ ଦୃଶ୍ୟ ହିଁ ବୟାନ କରୁଛି ।

ମାଆର ମମତା ଅତୁଳନୀୟ । ସେ ପଶୁ ହେଉ କି ମଣିଷ, ମମତାର ମୂଲ ସବୁଠି ସମାନ । ମାଆର ରୂପ ସମସ୍ତଙ୍କ ପାଇଁ ଏକାପରି । ତେବେ ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ଗୋଟିଏ ବାଛୁରୀ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲା । ବାଛୁରୀ ଗୁରୁତର ଦେଖି ଉକ୍ତ ଗାଡିର ଡ୍ରାଇଭର ମାନବିକତା ଭୁଲି ନଥିଲେ । ଦୁର୍ଘଟଣା ପରେ ଛାଡି ନଯାଇ ଗୋଟିଏ ଟ୍ରଲିରେ ଆହତ ବାଛୁରୀକୁ ପଶୁ ଚିକିତ୍ସାଳୟ ନେଇଥିଲେ ।

ଆଉ ଏତିକି ବେଳେ ହିଁ ଦେଖିବାକୁ ମିଳିଥିଲା ଗୋଟେ ମମତାଭରା ଦୃଶ୍ୟ । ଆହତ ଛୁଆ ଟ୍ରଲିରେ ଯାଉଥିବା ବେଳେ ଆତୁର ହୋଇ ମାଆ ଗାଈ ତା ପଛେ ପଛେ ଧାଉଁଥିଲା । ସ୍ଥିତି ଏମିତି ହୋଇଥିଲା ଡାକ୍ତରଖାନା ଡେରିରେ ଖୋଲିବା ଯାଏଁ ବି ଗେଟ୍ ସାମ୍ନାରେ ସେମିତି ଅପେକ୍ଷା କରିଥିଲା ମାଆ । ଆଉ ପଶୁ ମାଆର ଏହି ମମତାଭରା ଦୃଶ୍ୟକୁ ଦେଖୁଥିଲା ମଣିଷ ।

ମଣିଷ ସମାଜରେ ମାଆ-ପୁଅର ସମ୍ପର୍କକୁ ନେଇ ଆସୁଛି କେତେ କେତେ ଖବର । କେତେବେଳେ ମାଆଟିଏ ତା ମମତାକୁ ଭୁଲି ରାସ୍ତାକଡରେ ଛାଡି ପଳାଉଛି ତ କେତେବେଳେ ନିଜ ରକ୍ତର ସମ୍ପର୍କକୁ ପର କରି ଆଉ କାହା ସହ ପଳାଉଛି । ପିଲାମାନେ ବି ବୁଢା ହେଲା ପରେ ମାଆକୁ ଘରୁ ତଡିଦେଉଛନ୍ତି, ନିଷ୍ଠୁର ନିର୍ଯାତନା ଦେଉଛନ୍ତି । ଆଉ ଠିକ ସେତିକିବେଳେ ଏ ମଣିଷମାନଙ୍କୁ ପଶୁଟିଏ ମମତାର ମୂଲ୍ୟ ବୁଝାଉଛି… ହେ ମଣିଷ ଥରେ ଭଲକି ଦେଖ ଏ ଦୃଶ୍ୟକୁ… ଆଉ ମାପିବାକୁ ଚେଷ୍ଟା କର ମାଆର ମମତାକୁ…