ଗାଈକୁ ଜାତୀୟ ପଶୁର ମାନ୍ୟତା ଦେବାକୁ କହିଲେ ଆହ୍ଲାବାଦ ହାଇକୋର୍ଟ : ଭାରତର ସଂସ୍କୃତି ସହ ଜଡିତ ରହିଥିବାରୁ ମିଳୁ ସାମ୍ବିଧାନିକ ଅଧିକାର

ଶୁଣାଣି ବେଳେ ବିଚାରପତି କହିଲେ, ଗାଈର କଲ୍ୟାଣରେ ହିଁ ଦେଶର କଲ୍ୟାଣ

996

କନକ ବ୍ୟୁରୋ : ଗାଈକୁ ଦେଶର ଜାତୀୟ ପଶୁ ଘୋଷଣା କରାଯାଉ । ଏବଂ ଗୋମାତାକୁ ସୁରକ୍ଷା କରୁଥିବା ହିନ୍ଦୁଙ୍କୁ ମୌଳିକ ଅଧିକାର ମିଳୁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଖଣ୍ଡପୀଠ କହିଛନ୍ତି, ଗାଈକୁ ନେଇ ହିନ୍ଦୁ ସଂପ୍ରଦାୟର ଆସ୍ଥା ଜଡିତ, ଗାଈକୁ ଦେବଦେବୀ ଭଳି ଭାରତରେ ପୂଜା କରାଯାଏ । ବୈଦିକ, ପୌରାଣିକ, ସାଂସ୍କୃତିକ ଓ ଅର୍ଥନୀତି ସହ ଗାଈ ଓତଃପ୍ରୋତଃ ଭାବେ ଜଡିତ । ତେଣୁ ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରାଯିବ ଉଚିତ ବୋଲି ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଗୋହତ୍ୟା ମାମଲାରେ ଗିରଫ ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ଜଣେ ମୁସଲମାନ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ଖଣ୍ଡପୀଠ । ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ କହିଛନ୍ତି, କେବଳ ଗୋମାଂସ ଭକ୍ଷଣକାରୀଙ୍କ ମୌଳିକ ଅଧିକାର ଅଛି ତା ନୁହେଁ ଗାଈକୁ ଯେଉଁମାନେ ପୂଜା କରୁଛନ୍ତି ଓ ରୋଜଗାର ପାଇଁ ଗାଈ ଉପରେ ନିର୍ଭର କରୁଛନ୍ତି, ସେମାନଙ୍କୁ ଗାଈର ରକ୍ଷା କରିବା ପାଇଁ ମୌଳିକ ଅଧିକାର ମିଳିବା ଉଚିତ ।

କେବଳ ଜ୍ୱିହାର ସ୍ୱାଦ ପାଇଁ, କାହାକୁ ହତ୍ୟା କରିବା କେବେ ବି ମୌଳିକ ଅଧିକାର ପରିସର ଭୁକ୍ତ କରାଯାଇ ପାରିବ ନାହିଁ । ତେଣୁ ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଇ, ଗୋସୁରକ୍ଷାକୁ ହିନ୍ଦୁମାନଙ୍କ ମୌଳିକ ଅଧିକାର କରାଯିବା ଉଚିତ୍ । ଏହା ସମସ୍ତେ ଜାଣନ୍ତି ଯେଉଁ ଦେଶର ସଂସ୍କୃତି ଓ ଆସ୍ଥା ଉପରେ ଆକ୍ରମଣ କରାଯାଏ, ସେହି ଦେଶ କ୍ରମେ ଦୁର୍ବଳ ହୋଇଯାଏ । ତେଣୁ ଗାଈର କଲ୍ୟାଣରେ ହିଁ ଦେଶର କଲ୍ୟାଣ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ ।