ଆହ୍ଲାବାଦ ହାଇକୋର୍ଟଙ୍କ ଟିପ୍ପଣୀ । ଗାଈକୁ କୌଣସି ଧର୍ମ ସହିତ ଯୋଡା ନଯାଇ ଜାତୀୟ ପଶୁ ଘୋଷଣା କରାଯିବା ଦରକାର

142

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ଗୋ ରକ୍ଷାକୁ କୌଣସି ଧର୍ମ ସହିତ ଯୋଡା ଯିବାର କୌଣସି ଆବଶ୍ୟକତା ନାହିଁ । ଗାଈକୁ ସରକାର ଜାତୀୟ ପଶୁ ଭାବେ ଘୋଷଣା କରିବାର ଆବଶ୍ୟକତା ରହିଛି ।

କହିରଖୁ କି ବୁଧବାର ଦିନ ଜାବେଦ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଖାରଜ କରି କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । ଜାବେଦ ଉପରେ ଗୋହତ୍ୟା ବନ୍ଦ କରିବା ଅଧିନିୟମ ୩,୫ ଓ ୮ ରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଖାରଜ କରି କୋର୍ଟ କହିଥିଲେ କି ଗୋ ରକ୍ଷା କେବଳ କୌଣସି ଧର୍ମର ଦାୟିତ୍ୱ ନୁହେଁ । ଗାଈ ଏ ଦେଶର ସଂସ୍କୃତି ଓ ଏହାର ସୁରକ୍ଷା ସବୁଧର୍ମର ଲୋକଙ୍କ ଦ୍ୱାରା ହେବା ଦରକାର ।

ଜଷ୍ଟିସ୍ ଶେଖର କୁମାର ଯାଦବ ଏହି ନିଷ୍ପତ୍ତି ଶୁଣାଇବା ସହ କହିଥିଲେ କି ସରକାର ଏବେ ଏହି ସଂକ୍ରାନ୍ତରେ ସଂସଦରେ ଏକ ବିଧେୟକ ଆଣିବ ଦରକାର । ଗାଈକୁ ବି ମୂଳ ଅଧିକାର ମିଳିବା ଦରକାର । ଏବେ ସମୟ ଆସିଛି ଗାଈକୁ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରିବାର ବୋଲି ସେ କହିଛନ୍ତି । ଏହାସହ ଗାଈକୁ ହତ୍ୟା କରୁଥିବା ବା ଗାଈମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ ସରକାର କଠୋର ଆଇନ ଆଣିବାର ଆବଶ୍ୟକତା ରହିଛି । ସେ ଜୋର ଦେଇ କହିଛନ୍ତି କି ଯେତେବେଳ ପର୍ଯ୍ୟନ୍ତ ଦେଶରେ ଗାଈମାନଙ୍କୁ ସୁରକ୍ଷା ମିଳିନାହିଁ ସେପର୍ଯ୍ୟନ୍ତ ଦେଶର ବିକାଶ ଅଧାରେ ରହିଥିବ ।

ନିଷ୍ପତ୍ତି ଶୁଣାଇବା ବେଳେ ଜଷ୍ଟିସ ଶେଖର ଯାଦବ କହିଥିଲେ କି ଭାରତ ଏଭଳି ଏକ ଦେଶ, ଯେଉଁଠି ବିଭିନ୍ନ ଧର୍ମର ଲୋକ ରହିଥାନ୍ତି । ଏଠାରେ ଧର୍ମ ଆଧାରରେ ପୂଜାର୍ଚ୍ଚନା କରାଯାଇଥାଏ । ହେଲେ ସମସ୍ତଙ୍କୁ ଦେଶପ୍ରତି ଗୋଟିଏ ଭାବନା ରଖିବା ଆବଶ୍ୟକ ।