ରାଜରାସ୍ତାରେ ବୁଲା ଗାଇଗୋରୁଙ୍କ ଆତଙ୍କରାଜ୍ ! ବୁଲୁଛନ୍ତି, ଶୋଉଛନ୍ତି, ଗାଡି ଆସିଲେ ବି ହଟୁନାହାନ୍ତି । ହନ୍ତସନ୍ତ ହେଉଛନ୍ତି ଲୋକେ, ପରିବହନ ବିଭାଗ ସବୁ ଦେଖି ଚୁପ୍ ବସିଥିବା ଅଭିଯୋଗ । 

253

କନକ ବ୍ୟୁରୋ : ରାଜ୍ୟ ତଥା ଦେଶରେ ଏବେ ଟ୍ରାଫିକ ନିୟମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକରା ଆତଙ୍କ ସୃଷ୍ଟି ହୋଇଛି । ହେଲମେଟ ଠାରୁ ଆରମ୍ଭ କରି ଗାଡିକାଗଜ ପତ୍ରକୁ ନେଇ ସମସ୍ତେ ଚିନ୍ତାରେ । ପୁଲିସ ଓ ଆରଟିଓଙ୍କ ଧରପଗଡ ଜୋରଦାର । ହେଲେ ରାଜରାସ୍ତାରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ପ୍ରତି କାହାରି ନିଘା ନାହିଁ । ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ରାଜରାସ୍ତା ଉପରେ ମାଳମାଳ ଗାଇଗୋରୁ ବୁଲୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି, ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ ।

ପିସିଆର ଭ୍ୟାନ ଆଗରେ ଗୋରୁ ପଲ । ରାଜରାସ୍ତାରେ ଇଣ୍ଟରସେପ୍ଟର ବାହନକୁ ଇଣ୍ଟରସେପ୍ଟ କରୁଛି ବୁଲାଗାଇ । ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ମାଳମାଳ ଗାଇଗୋରୁ । ବାଦ ପଡିନି ଜିଲ୍ଲାପାଳଙ୍କ ଅଫିସ । ଆଉ ବୁଲା ଗାଇଗୋରୁଙ୍କୁ ରାସ୍ତାରୁ ତଡୁଛନ୍ତି ଟ୍ରାଫିକ ବାବୁ । ବୁଲା ଗାଇଗୋରୁଙ୍କ ଚରା ଭୁଇଁ ପାଲଟିଛି ଜାତୀୟ ରାଜପଥ । ଆମେ କହୁଛୁ ମାଲକାନଗିରି ପୌରାଂଚଳର ଦୃଶ୍ୟ ବାବଦରେ ।

ସହର ଭିତରେ ଗାଇଗୋରୁ ଅବାଧ ବିଚରଣ ଯୋଗୁଁ ନାନା ହଇରାଣ ହରକତ ହେଉଛନ୍ତି ସହରବାସୀ । ଅନେକ ସମୟରେ ଗାଇଗୋରୁଙ୍କ ଯୋଗୁ ମାଲକାନଗିରି ସହରରେ ଦୁର୍ଘଟଣା ଘଟୁଥିବା ବେଳେ ଗାଇଗୋରୁ ମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ପୁଲିସ, ପରିବହନ ବିଭାଗ ଓ ପୌର ପରିଷଦ ଅଧିକାରୀ ସବୁ ଜାଣି ବି ଚୁପ୍ ବସିଥିବା ଅଭିଯୋଗ ହୋଇଛି ।

ଗାଇଗୋରୁଙ୍କ ରାସ୍ତାରୋକ । ରାଜରାସ୍ତାରେ ଗାଇଗୋରୁଙ୍କ ମାର୍ଚ୍ଚ । ମାଲକାନଗିରି ପୌରାଂଚଳରେ ବୁଲା ଗାଇଗୋରୁଙ୍କ ଲାଗି କାଂଜିଆ ହୁଦା କରିବା ପାଇଁ ବାରମ୍ବାର ଦାବି ହେଉଛି । ବୁଲା ଗାଇଗୋରୁଙ୍କ ଧରିବା ପାଇଁ ମାଲକାନଗିରି ପୌର ପରିଷଦର ସ୍ୱତନ୍ତ୍ର କାଓ କ୍ୟାଚର ଭ୍ୟାନ ବି ଅଛି । ଏବଂ ଗାଇଗୋରୁ ଓ ଅନ୍ୟ ଗୃହପାଳିତ ପଶୁଙ୍କୁ ରାଜରାସ୍ତାରେ ନ ଛାଡିବା ପାଇଁ ସଚେତନ କରାଯାଉଥିବା କଥା କୁହାଯାଉଛି । ତଥାପି ସମସ୍ୟାର ସମାଧାନ ହୋଇପାରୁନାହିଁ ।

ନୂଆ ମୋଟର ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି । କାଗଜପତ୍ର ଯାଂଚ କରାଯାଇ ମୋଟା ଅଙ୍କର ଜରିମାନା ବି ଆଦାୟ କରାଯାଉଛି । ହେଲେ ବୁଲା ଗାଇଗୋରୁଙ୍କ କବଳରୁ ରାଜରାସ୍ତାର ଟ୍ରାଫିକ ବ୍ୟବସ୍ଥା କେବେ ମୁକୁଳିବ, ସେ ଦିଗରେ କାହାରି ଆନ୍ତରିକତା ନାହିଁ ।