କରୋନା କାଳରେ ହୋଇଛି ଦୁର୍ନୀତି ପରେ ଦୁର୍ନୀତି । ବୁଲା ଗୋରୁ-ଗାଇଙ୍କ ଖାଇବା ପାଇଁ ଆସିଥିବା ଅର୍ଥ ଆତ୍ମସାତ ଅଭିଯୋଗ, ଲକଡାଉନ୍ ବେଳେ ସରକାରୀ ଅନୁଦାନର ହୋଇଛି ବାଟମାରଣା ।

172

କନକ ବ୍ୟୁରୋ : କରୋନା ମହାମାରୀ ବହୁ ଲୋକଙ୍କ ଠାରୁ ରୋଜଗାର ପନ୍ଥା ଛଡେଇ ନେଇଛି । ହେଲେ, ଏହି ସମୟରେ କିଛି ଅସାଧୁ ସରକାରୀ ବାବୁ ବିପତିର ସୁଯୋଗ ନେଇ ସରକାରୀ ଅର୍ଥ ବାଟମାରଣା କରିଛନ୍ତି । ବଲାଙ୍ଗୀରରେ କରୋନା କାଳରେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆସିଥିବା ପଇସାକୁ ମଧ୍ୟ ଖାଇଯାଇଛନ୍ତି ।

୨ଲକ୍ଷ ୫୫ ହଜାର ଟଙ୍କା ଖାଇଗଲେ ଗୋରୁ ଓ ବୁଲା କୁକୁର । କରୋନା ଲକଡାଉନ-ସଟଡାଉନ ସମୟରେ ବୁଲା କୁକୁର ଓ ଗୋରୁଙ୍କୁ ଖାଇବାକୁ ଦେଇଛି ବଲାଙ୍ଗୀର ପୌର ପରିଷଦ । ପନିପରିବା ସାଙ୍ଗକୁ ରନ୍ଧା ଖାଦ୍ୟ ଦିଆଯାଇଥିବା ସରକାରୀ ହିସାବରେ ରହିଛି । ଦିନକୁ ଏଥିପାଇଁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଗୋରୁ ଓ କୁକୁରଙ୍କ ନାଁରେ ସରକାରୀ ଅର୍ଥ ଆତ୍ମସାତ୍ କରିଛନ୍ତି ଅସାଧୁ ଅଧିକାରୀ ।

କୋଭିଡ କାଳରେ ବଲାଙ୍ଗୀରର ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଥିଲା । କର୍ତ୍ତବ୍ୟ ଫାଉଣ୍ଡେସନର କହିବା ହେଲା, ବୁଲା କୁକୁର କିମ୍ବା ଗୋରୁଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାରେ ମଧ୍ୟ ଦିନକୁ ୫ ହଜାରରୁ କମ୍ ଖର୍ଚ୍ଚ ହୋଇଛି । ଏପରିକି ସହରର ଗୋଟିଏ ଦୁଇଟି ସ୍ଥାନରେ ଗୋରୁଙ୍କୁ କେବଳ ପନିପରିବା ଦେଇ ରନ୍ଧା ଖାଦ୍ୟ ବଂଟା ଯାଇଥିବା ନାଁରେ ପୁଳାପୁଳା ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ବଳରେ ତଥ୍ୟ ମାଗିବା ପରେ ଏହି ଦୁର୍ନୀତି ସାମ୍ନାକୁ ଆସିଛି । ସେପଟେ ବଲାଙ୍ଗୀର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କହୁଥିବା ଖାଦ୍ୟ ଖର୍ଚ୍ଚ ତାଲିକାରେ ତାଳମେଳ ରହୁନଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।