କନକ ବ୍ୟୁରୋ : କ୍ଷୀର, ଦହି, ଛେନା, ପନିର, ଘିଅ, ପେଡ଼ା ଖାଇବାକୁ କାହାକୁ ବା ଭଲ ନଲାଗେ । ହେଲେ ଖୁବ୍ କମ୍ ଲୋକ ଏହି ବ୍ୟବସାୟ କରିବାକୁ ପସନ୍ଦ କରନ୍ତି । ଗୋପାଳନ କରିବା ଏକ କଷ୍ଟକର କାମ ଭାବି ଅନେକ ଲୋକ ଏହି କାମରୁ ମୁହଁଫେରାଉଥିବା ବେଳେ ଏହାକୁ ନିଜର ରୋଜଗାରର ମାଧ୍ୟମ କରିଛନ୍ତି ଆଠଗଡ଼ ବ୍ଳକ ଗୋବରା ଗାଁର ପ୍ରଶାନ୍ତ ବେହେରା । ଏହି ବ୍ୟବସାୟ କରି ସେ ନିଜେ ରୋଜଗାର କରୁଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି । ଆଇଟିଆଇ ପାସ କରିବା ପରେ ଚାକିରି ପଛରେ ନପଡ଼ି ଗୋ-ପାଳନ କରୁଛନ୍ତି ପ୍ରଶାନ୍ତ । ପ୍ରଥମେ ପାଂଚୋଟି ଗାଇ ଆଣି ଡାଏରି ଫାର୍ମ ଆରମ୍ଭ କରିଥିଲେ । ଏବେ ବର୍ଷକ ପରେ ତାଙ୍କ ଫାର୍ମରେ ୨୦ରୁ ଉର୍ଦ୍ଧ୍ବ ଗାଇ ଅଛନ୍ତି । ନିଜେ ଫାର୍ମରୁ କ୍ଷୀର ସଂଗ୍ରହ କରିବା ସହ ସ୍ଥାନୀୟ ଅଂଚଳର ୮୦ ଜଣଙ୍କ ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ କରି ସେଥିରୁ ଛେନା, ପନିରି, ଗୁଆଘିଅ, ପେଡ଼ା ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ।

Advertisment

ଏହି କାମରେ ପ୍ରଶାନ୍ତଙ୍କୁ ତାଙ୍କର ପୁରା ପରିବାର ସହଯୋଗ କରୁଛନ୍ତି । ନିଜେ କାମ କରିବା ସହ ୩ ଜଣ ଶ୍ରମିକଙ୍କୁ ଏହି କାମରେ ସେ ନିଯୁକ୍ତି ଦେଇଛନ୍ତି। ସେମାନେ ଗୋ-ସେବା କରିବା ସହ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରୁଛନ୍ତି । ପ୍ରତିମାସରେ ଏହି କାମରୁ ଲକ୍ଷାଧିକ ଟଙ୍କା ରୋଜଗାର ହୋଇପାରୁଛି । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଏହାଦ୍ବାରା ସେ ରୋଜଗାର ଦେଇପାରୁଛନ୍ତି ।

ପ୍ରଶାନ୍ତ ପ୍ରତିଦିନ ଏକ କ୍ବିଂଟାଲରୁ ଅଧିକ ଛେନା ବିକ୍ରି କରୁଛନ୍ତି । ଯାହାଦ୍ବାରା ସେ ଏଥିରୁ ଭଲ ରୋଜଗାର କରୁଛନ୍ତି । ଗାଇଙ୍କ ପାଇଁ ନିଜ ଜମିରେ ସେ ଘାସ ଚାଷ କରିଛନ୍ତି । ସମସ୍ତ ଖର୍ଚ୍ଚ ଯାଇ ତାଙ୍କୁ ଏଥିରୁ ଭଲ ରୋଜଗାର ମିଳୁଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।