ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଆଜି ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ୪ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇ ଥିବାବେଳେ ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଚିକିତ୍ସା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ବେସାମରିକ ସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ଦିଆଯାଇଛି । ପଦ୍ମ ବିଭୂଷଣ ପାଇଥିବା ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଲୋକନୃତ୍ୟ ଶିଳ୍ପୀ ତେଜନ୍ ବାଇ (ଛତିଶଗଡ଼), ଆଫ୍ରିକୀୟ ଦେଶ ଡିବୁଟିର ରାଷ୍ଟ୍ରପତି ଇସମାଇଲ ଓମର ଗୁଏଲା, ଏଲ ଆଣ୍ଡ ଟିର ଅଧ୍ୟକ୍ଷ ଅନିଲ କୁମାର ମଣିଭାଇ ନାଏକ, ଲେଖକ ବଲୱନ୍ତ ମୋରେଶ୍ବର ପୁରନ୍ଦରେ ରହିଛନ୍ତି। ଅର୍ଥାତ୍ ଚଳିତବର୍ଷ ପଦ୍ମ ବିଭୂଷଣ ପାଇଥିବା ୪ଜଣଙ୍କ ମଧ୍ୟରୁ ଜଣେ ବିଦେଶୀ ଥିବା ବେଳେ ୩ ଜଣ ଭାରତୀୟ ଅଛନ୍ତି।

Advertisment

publive-image

ଚଳିତବର୍ଷ କେନ୍ଦ୍ର ସରକାର ଏମିତି କେତେକ ତୃଣମୂଳ ସ୍ତରର ସମାଜସେବୀଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ ଘୋଷଣା କରିଛନ୍ତି, ଯାହା ପ୍ରଶଂସାଜନକ । ଏଥର ପଦ୍ମଶ୍ରୀ ତାଲିକାରେ ଥିବା ଶବୀର ସୈୟଦ୍ ଜଣେ ଗୋ ସେବକ ଭାବେ ପରିଚିତ । ଏଥର ଅନ୍ୟତମ ବିଜେତା ଶବୀରଙ୍କ କାହାଣୀ ବି ବେଶ୍ ରୋମାଞ୍ଚକର।

publive-image

ମହାରାଷ୍ଟ୍ରର ବିଡ ଜିଲ୍ଲାର ଶିରୁର୍ କାସାର୍ ଗାଆଁର ୫୮ ବର୍ଷ ବୟସ୍କ ଶବୀରଙ୍କୁ ସାମାଜିକ କାର୍ଯ୍ୟ ଓ ପଶୁ କଲ୍ୟାଣ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବାର ଘୋଷଣା କରାଯାଇଛି। ଶବୀର ନିଜ ପରିବାର ସହିତ ଗତ ୫୦ ବର୍ଷ ଧରି ଗୋସେବା କରିଆସୁଛନ୍ତି। ଶିରୁର ଅଞ୍ଚଳରେ ଉତ୍କଟ ଜଳାଭାବ ଥିବା ସତ୍ତ୍ୱେ ଶବୀର ଗୋମହିଷାଦି ପଶୁମାନଙ୍କୁ କେବେ ବି କ୍ଷୁଧା-ତୃଷା ହେତୁ ମୃତ୍ୟୁ ହେବାକୁ ଦିଅନ୍ତି ନାହିଁ। ସେ କେବେ ବି କୌଣସି ଗାଈଙ୍କୁ ହତ୍ୟାକରି ନାହାନ୍ତି କି ସେମାନଙ୍କୁ ବିକ୍ରି କରିନାହାନ୍ତି, ଏପରିକି ଦୁଧ ପାଇଁ ବି ଗାଈପାଳନ କରି ନାହାଁନ୍ତି। ଶବୀର କେବଳ ଗାଈର ଗୋବର ବିକ୍ରି କରି ନିଜ ପରିବାରର ଭରଣପୋଷଣ କରିଥାନ୍ତି। ସେ ବାର୍ଷିକ ୭୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୧୬୫ ଜଣ ଗାଈ ଅଛନ୍ତି। ଶବୀରଙ୍କ ପିତା କଂସେଇଖାନା ବନ୍ଦ କରି ଗୋରକ୍ଷା ଓ ଗୋସେବା କାମ ସତୁରି ଦଶକରୁ ଆରମ୍ଭ କରିଥିଲେ। ତାଙ୍କ ପତ୍ନୀ, ପୁଅ, ବୋହୁ ଓ ସେ ନିଜେ ଗୋମାଂସ ଖାଆନ୍ତି ନାହିଁ । ସେମାନେ ସମସ୍ତେ ମିଳିମିଶି ଗୋସେବା କରିଥାନ୍ତି।