କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।

77

କନକ ବ୍ୟୁରୋ : ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ସବୁଜ ସଂକେତ ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ବିରୋଧରେ ଟିକା ନିର୍ମାଣ ପାଇଁ ସାରା ବିଶ୍ୱର ବଡ଼ ବଡ଼ କଂପାନୀ ମଧ୍ୟରେ ପ୍ରତିଯୋଗୀତା ଚାଲିଥିବା ବେଳେ ଦେଶୀୟ ଜ୍ଞାନ କୌଶଳରେ ତିଆରି ହୋଇଛି କୋଭାକ୍ସିନ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ ବା ଆଇସିଏମଆର ଏବଂ ପୁନେ ସ୍ଥିତ ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିର ସହଯୋଗରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଛି ଏହି ଦେଶୀ ଟିକା । ଏହି କରୋନା ଟିକାରେ ଲାଗିଛି ଶତ ପ୍ରତିଶତ ମେଡ୍ ଇନ୍ ଇଣ୍ଡିଆ ଟାଗ୍ ।

ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ୍ ଏକ ଟାଇମ୍ ଟେଷ୍ଟେଡ୍ ଭ୍ୟାକ୍ସିନ୍ ବା ସମୟ କ୍ରମେ ପରୀକ୍ଷିତ ଟିକା । ଅର୍ଥାତ ଦଶନ୍ଧୀ ଦଶନ୍ଧୀ ଧରି ଯେଉଁ ପ୍ରଣାଳୀରେ ଟିକା ପ୍ରସ୍ତୁତ ହୋଇ ଆସିଛି, ଠିକ୍ ସେହି ଧାରାରେ ପ୍ରସ୍ତୁତ ହୋଇଛି କୋଭାକ୍ସିନ୍ । ତେଣୁ ଅନ୍ୟ ଟିକାଠାରୁ ଅଧିକ ନିରାପଦ ବୋଲି ବିଶ୍ୱାସ କରାଯାଉଛି ।

ସାଧାରଣ ଥଣ୍ଡା-ଜ୍ୱରରେ ପୀଡ଼ିତ ଏକ ସିମ୍ପାଞ୍ଜି ସୁସ୍ଥ ହେବା ପରେ ତା’ର ଦୁର୍ବଳ ଭୂତାଣୁରୁ ପ୍ରସ୍ତୁତ ହୋଇଛି ଅକ୍ସଫୋର୍ଡ ଟିକା – କୋଭିସିଲ୍ଡ । କିନ୍ତୁ ଭାରତ ବାୟୋଟେକ୍ ତିଆରି କରିଥିବା ଟିକା ପ୍ରସ୍ତ୍ୁତ ହୋଇଛି ପୁରୁଣା ପଦ୍ଧତିରେ । ଯେଉଁ ପଦ୍ଧିତି ସମୟ କ୍ରମେ ନିରାପଦ ତଥା ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି ।

‘କୋଭାକ୍ସିନ୍’ର ପ୍ରସ୍ତୁତି ପ୍ରଣାଳୀ
-କରୋନା ଆକ୍ରାନ୍ତଙ୍କ ଠାରୁ ଭୂତାଣୁ ସଂଗ୍ରହ ହୋଇଥିଲା
-ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରେ ଏହି ଭୂତାଣୁର କଲ୍ଚର୍ କରାଯାଇଥିଲା
-ଅନ୍ୟ ଟିକା ଭଳି ଏହି ପୁରୁଣା ପଦ୍ଧତିରେ ପ୍ରସ୍ତୁତ ହୋଇଛି ଦେଶୀ ଟିକା
-ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଛି
-ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହା ନିରାପଦ ଓ ଫଳପ୍ରଦ ବୋଲି ଜଣାପଡିଛି
-ତୃ୍ତୀୟ ପର୍ଯ୍ୟାୟ ପରୀକ୍ଷଣରେ ଭାଗ ନେଇଛନ୍ତି ପ୍ରାୟ ୨୫ ହଜାର ସ୍ୱେଚ୍ଛାସେବୀ
-ପ୍ରାଥମିକ ରିପୋର୍ଟରେ ୮୦-୮୫ ପ୍ରତିଶତ ଫଳପ୍ରଦ ହେଉଥିବା ସୂଚନା ମିଳିଛି

ଦୁଇଟି ଟିକାକୁ ଜରୁରି ବ୍ୟବହାର ପାଇଁ ଭାରତ ଅନୁମତି ଦେବା ପରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାଗତ କରିଛି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ଭାରତ ଟିକା ତିଆରି କରି ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନକୁ ସାର୍ଥକ କରିଛି ।

ତେବେ କଂଗ୍ରେସର ଦୁଇ ବରିଷ୍ଠ ନେତା ଜୟରାମ ରମେଶ ଓ ଶଶୀ ଥରୁର୍ କୋଭାକ୍ସିନ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ପୂର୍ବରୁ କେମିତି ବ୍ୟବହାର ଅନୁମତି ଦିଆଗଲା । ଅନ୍ୟପଟେ ଭାରତ ବାୟୋଟେକ୍ ଜଣେ ବିଶେଷଜ୍ଞ କହିଛନ୍ତି, କୋଭାକ୍ସିନ୍ ଏକ ଟାଇମ୍ ଟେଷ୍ଟେଡ୍ ଭ୍ୟାକ୍ସିନ୍ ହୋଇଥିବାରୁ ଏହାର ନିରାପତା ଉପରେ କୌଣସି ସଂଦେହ ନାହିଁ ।