ରାଜ୍ୟ ଟୀକା ଭଣ୍ଡାରରେ କୋଭିସିଲ୍ଡ ଟୀକା ସଂରକ୍ଷିତ । ବିମାନବନ୍ଦରରୁ ସୁରକ୍ଷା ବଳୟରେ ଟୀକା ଭଣ୍ଡାରରେ ପହଁଚିଲା ପ୍ରଥମ ଦଫାରେ ଆସିଥିବା ଭ୍ୟାକ୍ସିନ୍ ।

133
କନକ ବ୍ୟୁରୋ: ବିମାନବନ୍ଦରରୁ ସିଧା ରାଜ୍ୟ ଟୀକା ସଂଗ୍ରହାଳୟକୁ ଯାଇଛି କରୋନାର କୋଭିସିଲ୍ଡ ଟୀକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟୀକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି ଟୀକା । ତେବେ କରୋନାର ପ୍ରତିଷେଧକ କୁହାଯାଉଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଟୀକା ଓଡ଼ିଶାକୁ ମିଳିସାରିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକା ରାଜ୍ୟ ଔଷଧ ନିଗମରେ ସଂରକ୍ଷିତ ରହିଛି । ଆଉ ଏହିଠାରୁ ହିଁ ସମସ୍ତ ଜିଲ୍ଲାକୁ ପଠାଯିବ ।
ପ୍ରାଥମିକ ପର୍ଯ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ବିଭିନ୍ନ ଜିଲ୍ଲା ଗୁଡିକ ପଠାଯିବ । ଖାସକରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତେବେ ଆବଶ୍ୟକୀୟ ସଂଖ୍ୟାରେ ଟିକା ନ ପହଞ୍ଚିଲେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରେ ପ୍ରାୟ ୧୬୦୦ ଲୋକଙ୍କୁ ଟିକା ଦିଆଯିବ । ଆଉ ଏଥିପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ସେପଟେ କରୋନା ଟୀକା ପହଁଚିବା ପରେ ବିମାନବନ୍ଦର ଅଧିକାରୀ ଏସ.କେ ରାଉତ କହିଛନ୍ତି କି, ପ୍ରଥମ ଦଫାରେ ଆସିଥିବା ଟୀକାକୁ ଆମେ ଗ୍ରହଣ କରିଛୁ । ପ୍ରାୟ ୧୨ଶହ କେ.ଜି ଓଜନର ୩୪ଟି ପ୍ୟାକେଟ୍ ଓଡ଼ିଶା ଗ୍ରହଣ କରିଛି ।