କୋଭାକ୍ସିନଠୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ : ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିଲା ଗବେଷଣା

287

କନକ ବ୍ୟୁରୋ : ଭାରତରେ ଦିଆଯାଉଥିବା ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ କିଭଳି କାମ ଦେଉଛି, ତାକୁ ନେଇ ଅଧ୍ୟୟନ । ଟିକା ନେବା ପରେ ଏହା କରୋନା ବିରୋଧରେ ଆଂଟିବଡି ବା ପ୍ରତିରୋଧ ଶକ୍ତି ସୃଷ୍ଟି କରିବାରେ କେତେଦୂର ସମର୍ଥ ହେଉଛି ତାକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି । ଆଉ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଦେଶୀ ଟିକା କୋଭାକ୍ସିନ ଅପେକ୍ଷା ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଅଧିକ ପରିମାଣରେ ପ୍ରତିରୋଧ ଶକ୍ତି ତିଆରି କରିପାରୁଛି ।

ଗବେଷକମାନେ ୧୩ଟି ରାଜ୍ୟର ୨୨ଟି ସହରରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ମୋଟ୍ ୫୧୫ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୪୨୫ ଜଣଙ୍କୁ କୋଭିସିଲ୍ଡ ଓ ୯୦ ଜଣଙ୍କୁ କୋଭାକ୍ସିନ ଦିଆଯାଇଥିଲା । ତେବେ ଦ୍ୱିତୀୟ ଡୋଜ୍ ଟିକା ନେବାର ୨୧ରୁ ୩୬ ଦିନ ଭିତରେ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ବିରୋଧରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । କିନ୍ତୁ କୋଭିସିଲ୍ଡ ନେଇଥିବା ଲୋକଙ୍କ ଭିତରେ ଅଧିକ ଆଂଟିବଡି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । କୋଭିସିଲ୍ଡ ନେଇଥିବା ୯୮ ପ୍ରତିଶତ ଲୋକଙ୍କ ଶରୀରରେ ଆଂଟିବଡି ଓ କୋଭାକ୍ସିନ ନେଇଥିବା ୮୦ ପ୍ରତିଶତ ଲୋକଙ୍କ ଶରୀରରେ ଆଂଟିବଡି ସୃଷ୍ଟି ହୋଇପାରିଥିଲା ।