କୋଭିଡ ପରବର୍ତ୍ତୀ ସମସ୍ୟା : ସୁସ୍ଥ ହେବା ପରେ ଶରୀରର କ୍ଷମତା ଅନୁସାରେ କାର୍ଯ୍ୟ କରିବା ଜରୁରୀ

135

କନକ ବ୍ୟୁରୋ : ପ୍ରତ୍ୟେକ ଭୂତାଣୁ ସଂକ୍ରମଣ ପରେ ହାଲିଆ ଲାଗିବା ଏକ ସ୍ୱାଭାବିକ ଘଟଣା। ତେଣୁ କୋଭିଡ୍‌କୁ ଏଥିରୁ ବାଦ୍ ଦିଆଯାଇପାରିବ ନାହିଁ । ସଂକ୍ରମଣ ସମୟରେ ଶରୀରର ସମସ୍ତ ଶକ୍ତି ସଂକ୍ରମଣକୁ ପ୍ରତିରୋଧ ପାଇଁ ବ୍ୟବହାର ହୋଇଥାଏ । ଶରୀରରେ ଅମ୍ଳଜାନ ସ୍ତର କମିଯିବା ଯୋଗୁଁ ସଂପୃକ୍ତ ବ୍ୟକ୍ତିଙ୍କୁ ହାଲିଆ ଲାଗିଥାଏ । ହାଲିଆ ଲାଗିଲେ ନିୟମିତ କାର୍ଯ୍ୟ କମାଇଦେବା ଉଚିତ । ଶରୀରର କ୍ଷମତା ଅନୁଯାୟୀ  କାର୍ଯ୍ୟ କରିବା ଉଚିତ । ଶରୀରର ଶକ୍ତି ବୃଦ୍ଧି ପାଇଁ ସେଓ, କମଳା, କନ୍ଦମୂଳ, ଉଷୁମ ପାଣିରେ ଲେମ୍ବୁ/ମହୁ ମିଶାଇ ପିଇବା, ଅଧିକ ତରଳ ଖାଦ୍ୟ ଖାଇବା ଉଚିତ । ଶୀତଦିନେ ଗରମ ପାଣି ପିଇବା ଭଲ । ଏକାଥରେ ୩/୪ ଗ୍ଲାସ୍ ନପିଇ, ଦିନଭରି ଧୀରେ ଧୀରେ ଏହି ପାଣିକୁ ପିଇବା ଜରୁରୀ । ଫଳରେ ଶରୀରରେ ଜଳୀୟ ଅଂଶ ବଜାୟ ରହିବା ସହିତ ତଣ୍ଟି ଓଦା ରହିଥାଏ ।

କଫ ଦୂର କରିବା ପାଇଁ ମଦ ସେବନଠାରୁ ଦୂରେଇ ରହିବାକୁ ହେବ। ଗରମ ବାମ୍ଫ ୧୦-୧୫ମିନିଟ୍‌ ଦିନକୁ ୨/୩ଥର ନେବା ଜରୁରୀ । ଚିତ୍ ହୋଇ ‌ଶୋଇବା ପରିବର୍ତ୍ତେ କଡ଼େଇ ଶୋଇବା ସହ ୨/୩ଟି ତକିଆ ମୁଣ୍ଡ ତଳେ ଦେଇ ଶୋଇଲେ ଆରାମ ଲାଗିଥାଏ । ଡାହାଣ ପଟ କଡ଼କୁ ମାଡ଼ି ଶୋଇଲେ ଭଲ । କାଶ/କଫ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଆବଶ୍ୟକ ଔଷଧ ଖାଇପାରିବେ । ଛାତି ରୁନ୍ଧି ହେଲା ଭଳି ଅନୁଭବ ହେଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଏଥିପାଇଁ ଏକ ବ୍ୟାୟାମ ମଧ୍ୟ ରହିଛି। ଚେୟାରରେ ବସି ଲମ୍ବା ନିଶ୍ୱାସ ନେବା ପରେ ଗୋଟିଏ ହାତ ଛାତି ଉପରେ ଓ ଅନ୍ୟଟି ପେଟ ଉପରେ ରଖି ପାଟିରେ ଜୋରରେ ନିଶ୍ୱାସ ନେବା ସହିତ ପ୍ରଶ୍ୱାସ ଛାଡ଼ିବା ଉଚିତ । ଏହାଦ୍ୱାରା ଛାତି ରୁନ୍ଧି ହେବା କମିଯିବ ।

ମାନସିକ ଉଦ୍‌ବେଗର ଦେଖାଯିବାର ମୁଖ୍ୟ କାରଣ ହେଉଛି, ଅନେକ କଥା ଶୁଣିବା ଯୋଗୁଁ ଲୋକମାନଙ୍କୁ ଭୟ ଲାଗୁଛି । ଏହାସହ କରୋନା ଭୂତାଣୁ ସ୍ନାୟୁ ବ୍ୟବସ୍ଥାକୁ ପ୍ରଭାବିତ କରିବା କାରଣରୁ ମଧ୍ୟ ମନରେ ଭୟରେ ରହୁଛି। ଏଥିରୁ ଦୂରେଇବାକୁ ହେଲେ ମସ୍ତିଷ୍କକୁ ଅନ୍ୟ କାର୍ଯ୍ୟରେ ଲଗାଇବା ଉଚିତ। ଧ୍ୟାନ, ଯୋଗ ସହିତ ନିୟମିତ ଭାବେ ଶୋଇବା ରହିବା ଦରକାର। ନୂତନ ଶୈଳୀରେ ଜୀବନଯାପନ କରିବା ପାଇଁ ଉଦ୍ୟମ କରିବା ଉଚିତ । ଟିଭି, ମୋବାଇଲଠାରୁ ଦୂରେଇ ରହିବା ସହିତ ସୁଷମ ଖାଦ୍ୟ ଜରୁରୀ ।